ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ ସହଯୋଗ : କିସ୍ ବିଶ୍ୱବିଦ୍ୟାଳୟ ଓ ଜି.ଏମ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର,୧୭ ।୬: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମିଳିତ ସହଯୋଗ ନେଇ କିସ୍ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ଗଙ୍ଗାଧର ମେହର(ଜିଏମ୍) ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ଗୁରୁବାର ସ୍ୱାକ୍ଷରିତ ହୋଇଛି । କିସ୍ ବିଶ୍ୱବିଦ୍ୟାଳୟରେ ଭର୍ଚୁଆଲ୍ରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ ଜିଏମ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଦୀପକ କୁମାର ବେହେରା ଓ ଜିଏମ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଏନ୍. ନାଗରାଜୁ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଥିଲେ, କିସ୍ ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଦ୍ୟାଳୟ ହୋଇଥିବାବେଳେ କିସ୍ ବିଶ୍ୱବିଦ୍ୟାଳୟ ବିଶ୍ୱର ପ୍ରଥମ ଜନଜାତି ବିଶ୍ୱବିଦ୍ୟାଳୟ । ଶିକ୍ଷା ମାଧ୍ୟମରେ ଜନଜାତିଙ୍କ ସଶକ୍ତିକରଣ ନିମନ୍ତେ କିସ୍ ଦୀର୍ଘ ୩୦ବର୍ଷ ଧରି କାର୍ଯ୍ୟ କରିଆସୁଛି । କିସ୍ ବିଶ୍ୱବିଦ୍ୟାଳୟ ଓ ଜିଏମ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିବା ଏହି ବୁଝାମଣା ଓଡ଼ିଶାରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିବ ବୋଲି ସେ କହିଥିଲେ । ଏଥିପାଇଁ ସେ ଉଭୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ । ଏହି ବୁଝାମଣାପତ୍ର ଅନୁଯାୟୀ ବିଭିନ୍ନ ପ୍ରକାର ଶୈକ୍ଷିକ କାର୍ଯ୍ୟକ୍ରମ, ଗବେଷଣା, ପ୍ରକଳ୍ପ, ତାଲିମ୍, ଛାତ୍ର-ଶିକ୍ଷକ ବିନିମୟ, ଇଣ୍ଟର୍ଣ୍ଣସିପ୍ ଆଦି କ୍ଷେତ୍ରରେ ଉଭୟ ବିଶ୍ୱବିଦ୍ୟାଳୟ ମିଳିତ ଭାବେ କାର୍ଯ୍ୟ କରିବେ । ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଏମ୍ ବିଶ୍ୱବିଦ୍ୟାଳୟଠାରେ ଜିଏମ୍ ବିଶ୍ୱବିଦ୍ୟାଳୟ କୁଳସଚିବ ଗିରିଶ ଚନ୍ଦ୍ର ସିଂ, ଉପକୁଳସଚିବ ଡ. ଉମା ଚରଣ ପତି ଉପସ୍ଥିତ ଥିବାବେଳେ କିସ୍ ବିଶ୍ୱବିଦ୍ୟାଳୟରେ କିସ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ପୀତବାସ ସାହୁ ଓ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟଙ୍କ ସମେତ ଉଭୟ ବିଶ୍ୱବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା ଓ ପଦାଧିକାରୀ ଉପସ୍ଥିତ ଥିଲେ । ଶେଷରେ ଜିଏମ୍ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗର ବିଭାଗୀୟ ମୁଖ୍ୟ ଡ. ନିବେଦିତା ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।