ବୌଦ୍ଧ,୧୯/୬ – ବୌଦ୍ଧଜିଲ୍ଲାର ଉପାନ୍ତ ଅଞ୍ଚଳ ଜଙ୍ଗଲ ପାହାଡ଼ ଘେରା ତଥା ୪୨ଟି ଗ୍ରାମକୁ ନେଇ ଗଠିତ ଶଗଡା ପଞ୍ଚାୟତ ଏକ ପ୍ରମୁଖ ସ୍ଥାନ । ଉକ୍ତ ଅଞ୍ଚଳର ଏହା ପ୍ରଧାନ ବାଣିଜ୍ୟ କେନ୍ଦ୍ର । ଏଠାରେ ରାଜୁଡା ଅମଳରୁ ଫାଣ୍ଡି ରହିଥିବାବେଳେ ମହାବିଦ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର, ବାଘ ବ୍ୟାରେଜ ସମେତ ଅନେକ ଅଫିସ ରହିଛି ଓ ଦର୍ଶନୀୟ ଖଣ୍ଡିକନପା ସ୍ଥାନ ରହିଛି । ଗୁନ୍ଦୁଳିଆ, ଗୋଛାପଡା, ଶଗଡା, ବରଗୋଛା ଆଦିି ଅନେକ ପଞ୍ଚାୟତ ବାସିନ୍ଦା ବିଭିନ୍ନ କାମରେ ଦୈନନ୍ଦିନ ଏଠାକୁ ଆସିଥାନ୍ତି । କିନ୍ତୁ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଶଗଡା, ଗୁନ୍ଦୁଳିିଆ ଅଞ୍ଚଳ ର ଅନେକ ଗ୍ରାମକୁ ଆଜିପର୍ଯ୍ୟନ୍ତ ରାସ୍ତାଟିଏ ହୋଇପାରିନାହିଁ, ବିଜୁଳି ସଂଯୋଗ ନାହିଁ କି ବିଶୁଦ୍ଧ ପିଇବା ପାଣିର ସୁବିଧା ହୋଇ ପାରିନାହିଁ । ଉକ୍ତ ଅଞ୍ଚଳର ଅନେକ ଲୋକ ଆଜିପର୍ଯ୍ୟନ୍ତ ସହର ଦେଖିନଥିବାବେଳେ ଜିଲ୍ଲାର ଅନେକ ଅଧିକାରୀ ଉକ୍ତ ଗ୍ରାମ ମଧ୍ୟ ଦେଖି ନ ଥିବା ଜାଣିବାକୁ ମିଳିଛି । ଏହାର ମୁଖ୍ୟକାରଣ ହେଲା ରାସ୍ତା ଓ ଗମନାଗମନ ସୁବିଧା ନ ଥିବା । ଉକ୍ତ ଅଞ୍ଚଳରେ ପ୍ରାୟ କନ୍ଧ-ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରନ୍ତି । ଜଙ୍ଗଲଜାତ ଦ୍ରବ୍ୟ ସେମାନଙ୍କ ମୁଖ୍ୟ ଆୟର ପନ୍ଥା । ଉକ୍ତ ଅଞ୍ଚଳ ର ଲୋକମାନେ ଫୁଲବାଣୀ-କନ୍ଧମାଳ ଅଞ୍ଚଳକୁ ବେଶି ଯିବାଆସିବା କରନ୍ତି ଓ ସେ ଜିଲ୍ଲାରୁ ମଧ୍ୟ ବୌଦ୍ଧ ଜିଲ୍ଲାକୁ ଆସନ୍ତି । କିନ୍ତୁ ଆଜିପର୍ଯ୍ୟନ୍ତ ସେହି ଅଞ୍ଚଳ ଦେଇ ଫୁଲବାଣୀକୁ ରାସ୍ତା ନଥିବାରୁ ଜଙ୍ଗଲ, ପାହାଡ଼ ଘାଟି ଦେଇ ଚାଲିକରି ଯିବାକୁ ପଡୁଛି । ଚାଲିକରି ଗଲେ ମାତ୍ର ୪୦ କି ମି ଦୂର ପଡୁଛି ଫୁଲବାଣୀକୁ ଏବଂ ବସରେ ଯିବାକୁ ହେଲେ ବୌଦ୍ଧ, ଚାରିଛକ ଦେଇ ୧୨୦ କି ମି ଦୂର ବୁଲିକରି ଯିବାକୁ ହେଉଛି । ଉକ୍ତ ଅଂଚଳକୁ ବସ୍ର ସୁବିଧା ନଥିବାରୁ ଲୋକଙ୍କ ବ୍ୟବସାୟ ବାଣିଜ୍ୟ ଠିକ ଭାବେ ହୋଇପାରୁନାହିଁ । ଗୋଟିିିଏ ଦିନର ଯାତ୍ରାକୁ ଦୁଇରୁ ତିନି ଦିନ ଲାଗିଯାଉଛି । ବୌଦ୍ଧ ଜିଲ୍ଲା ଶଗଡାରୁ ମାଲତି ଗୋଛାପଡା, ଶିଗାଡି, ଚୌରାଖନ, ମେନକାସାହି, ବୁଢାରଙ୍ଗା, ବାତେପଙ୍ଗା, ବାଡେପଙ୍ଗା ଦେଇ କନ୍ଧମାଳ ଜିଲ୍ଲାର କାଟେରମାଲ ଘାଟି, ମୁଣ୍ଡାସାହି, ଗାଡିପଦର, ପାଳେଚି, କିଲୁପଙ୍ଗ, କତ୍ରୀଙ୍ଗିଆ ଇତ୍ୟାଦି ଗ୍ରାମ ଦେଇ ଫୁଲବାଣୀକୁ ଏକ ରାସ୍ତା କରାଗଲେ ୮୦ କି ମି ଦୂରତା କମି ଯାଆନ୍ତା । କନ୍ଧମାଳ ବିଧାୟକ ଅଙ୍ଗଦ କହଁର ଫୁଲବାଣୀରୁ ଶଗଡା ପର୍ଯ୍ୟନ୍ତ ଉକ୍ତ ରାସ୍ତା ନିର୍ମାଣ ଯୋଜନା ରଖି ତହିଁର ପ୍ରୟାସରେ ସଲାଗାଡୁ ସରପଞ୍ଚ ରୋହିତ କହଁରଙ୍କ ସହ ଗୁରୁବାର ପାହାଡ଼ ଜଙ୍ଗଲ ୪୦ କି ମି ବାଟ ବାଇକ ଓ ଚାଲିକରି ଶଗଡା ବାଘ ନଦୀ ଉପରେ ନିର୍ମିତ ସେତୁ ପର୍ଯ୍ୟନ୍ତ ପରିଦର୍ଶନ କରି ଆସିଥିଲେ । ଶଗଡା ବିଜେଡି ନେତା ବିପିନ ପ୍ରଧାନ, ପ୍ରହଲ୍ଲାଦ ମହାକୁଡ଼ କନ୍ଧମାଳ ବିଧାୟକଙ୍କୁ ପରିଦର୍ଶନରେ ସାହାଯ୍ୟ କରିଥିଲେ । ଉକ୍ତ ରାସ୍ତାପାଇଁ କନ୍ଧମାଳ ବିଧାୟକ ଶ୍ରୀ କହଁର ଫୁଲବାଣୀରୁ ତାଙ୍କ ଜିଲ୍ଲା ସୀମା କାଟେରମାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ କିଛିକାଂଶ କରିଥିବାବେଳେ ବାକି ପ୍ରକଳ୍ପର ଚେଷ୍ଟା ଚାଲିଛି । ଜଙ୍ଗଲ ପାହାଡ଼ କାଟିବା ସକାଶେ କନ୍ଧମାଳ ଡି ଏଫ ଓ ଙ୍କ ଅନୁମତି ମଗାଯାଇଛି । ଅନୁମତି ମିଳିଲା ପରେ କାଟେରମାଲ ଘାଟି ରାସ୍ତା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଥିଲେ । ବୌଦ୍ଧ ଜିଲ୍ଲାର କ୍ଷେତ୍ର, ରାସ୍ତାଘାଟ କେମିତି ଅଛି ତାହା ଅନୁଧ୍ୟାନ କରିବାକୁ ଆସିଥିଲେ ବୋଲି କହିଥିଲେ । ଏହି ରାସ୍ତାକୁ ନେଇ ସେ କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ ସହ ଫୋନରେ ଆଲୋଚନା କରିଥିଲେ । କଣ୍ଟାମାଳ ବିଧାୟକ ଶ୍ରୀ ରଣାଙ୍କ ପ୍ରଚେଷ୍ଟାରେ ଶିଗାଡି ପର୍ଯ୍ୟନ୍ତ ପ୍ରକଳ୍ପ ପ୍ରସ୍ତାବ ଦିଆଯାଇଛି ଓ ୧୦ ଲକ୍ଷ ଟଙ୍କାର ଏକ କଲଭର୍ଟ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ଜାଣିବାକୁ ମିଳିଛି । ସେହିପରି ବୌଦ୍ଧ ଜିଲ୍ଲା ଅଧୀନରେ ଥିବା ପାହାଡ଼ ଓ ଜଙ୍ଗଲ କାଟିବା ପାଇଁ ଡି ଏଫ ଓଙ୍କ ସହ ଆଲୋଚନା କରି ଅନୁମତି ଅଣାଯିବ ବୋଲି ବିଧାୟକ ଶ୍ରୀ ରଣା କହିଛନ୍ତି । ଉଭୟ କନ୍ଧମାଳ ବିଧାୟକ ଶ୍ରୀ କହଁର ଓ କଣ୍ଟାମାଳ ବିଧାୟକ ଶ୍ରୀ ରଣା ଶଗଡାରୁ ଫୁଲବାଣୀକୁ ସିଧା ରାସ୍ତା ପାଇଁ ମିଳିତ ଭାବେ ଚେଷ୍ଟା ଚଳାଇଥିବା ଜାଣିବାକୁ ମିଳିଛି ।