କଣ୍ଟାମାଳ ବ୍ଲକରେ କେନ୍ଦ୍ର ଓ ରାଜ୍ୟ ଅର୍ଥ ଆୟୋଗ ଅର୍ଥର ଦୂରୁପଯୋଗ ଅଭିଯୋଗ ! ବର୍ଷ ବର୍ଷ ଧରି ଅଚଳ ହୋଇପଡିଛି ହାଇମାକ୍ସ ଓ ଷ୍ଟ୍ରିଟ ଲାଇଟ
କଣ୍ଟାମାଳ,୨୦/୬- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମୀଣ ବିକାଶ ଯୋଜନାରେ ଆଲୋକୀକରଣରେ ଗ୍ରାମ ପଞ୍ଚାୟତ ଗୁଡିକୁ ସ୍ୱତନ୍ତ୍ର ଅନୁଦାନ ଦେଉଥିଲେ ହେଁ ପଞ୍ଚାୟତ ଗୁଡିକର ଲାଭଖୋର ମନୋବୃତ୍ତି ଯୋଗୁଁ ଏହି ଅନୁଦାନର ସିଂହଭାଗ ଅର୍ଥ ବାଟମାରଣା ହୋଇଯାଉଥିବା ହେତୁ ବୌଦ୍ଧ ଜିଲ୍ଲା କଣ୍ଟାମାଳବ୍ଳକର ଅଧିକାଂଶ ପଞ୍ଚାୟତର ରାଜସ୍ୱ ଗ୍ରାମ ଗୁଡିକ ଅନ୍ଧକାର ମଧ୍ୟରେ ରହୁଥିବା ଦେଖିବାକୁ ମିଳିଛି । ଖୋଦ୍ କଣ୍ଟାମାଳବ୍ଲକ ସଦର ମହକୁମା ପଞ୍ଚାୟତ ଏହାରି ଏକ ଜ୍ୱଳନ୍ତ ଉଦାହରଣ । ଏହି ପଞ୍ଚାୟତର ସମସ୍ତ ଗ୍ରାମର ଶତକଡା ୮୦ ଭାଗ ଷ୍ଟ୍ରିଟ ଲାଇଟ ଅକାମୀ ହୋଇ ପଡିଥିବାବେଳେ ବ୍ଲକ ଛକ ଠାରୁ କଲରାକୋଠା ପର୍ଯ୍ୟନ୍ତ ଯାଇଥିବା ମୂଖ୍ୟ ରାସ୍ତାରେ ଲାଗି ଥିବା ଷ୍ଟ୍ରିଟ ଲାଇଟ ଓ ହାଇମାକ୍ସ ଲାଇଟ ଗୁଡିକୁ ସଂପୂର୍ଣ୍ଣ ଅଚଳ ହୋଇ ପଡିଥିବା ହେତୁ ରାସ୍ତାରେ ଅନ୍ଧାର ରାଜୁତି କରୁଛି । ଏପରିକି ଖୋଦ୍ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ହାଇମାକ୍ସ ଲାଇଟ ମଧ୍ୟ ବର୍ଷେ ହେଲା ଆଦୌ ଜଳୁନଥିଲେ ହେଁ କୌଣସି ସ୍ତରରେ ପ୍ରତିକାର ହୋଇପାରୁନଥିବା ଦେଖିବାକୁ ମିଳୁଛି ।
ଷ୍ଟ୍ରିଟ ଲାଇଟ ଗୁଡିକ ଅଚଳ ହୋଇ ପଡିଥିବା ହେତୁ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବୃଦ୍ଧି ସହ ଦୁର୍ଘଟଣା ଘଟୁଥିଲେ ହେଁ ଏଥିପ୍ରତି ଗ୍ରାମ ପଞ୍ଚାୟତ କି ବ୍ଲକ ଆଦୌ କର୍ଣ୍ଣପାତ କରୁନଥିବା ଜଣାଯାଇଛି । କଣ୍ଟାମାଳ ସଦର ବ୍ଳକ ମହକୁମାରେ ଏଭଳି ଷ୍ଟ୍ରିଟ ଲାଇଟ ସମସ୍ୟା ଗତ ବର୍ଷେ ହେଲା ଲାଗିରହିଥିଲେ ହେଁ ଏଥିପାଇଁ ଆସିଥିବା ଅନୁଦାନ ଅର୍ଥ ପଞ୍ଚାୟତ ପାଖରେ ଗଚ୍ଛିତ ନଥିବା ନେଇ ଅଭିଯୋଗ ହେଉଛି । କଣ୍ଟାମାଳ ଭଳି ବ୍ଲକର ଅନ୍ୟ ସବୁ ପଞ୍ଚାୟତରେ ମଧ୍ୟ ଆଲୋକୀକରଣ ଯେଭଳି ଆରମ୍ଭ ହୋଇଥିଲା ସେଭଳି ବିପର୍ଯ୍ୟସ୍ତ ହୋଇପଡିଛି । ଏହି ବ୍ଲକର ବରଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲାଗିଥିବା ଷ୍ଟ୍ରିଟ ଲାଇଟ ମଧ୍ୟ ବର୍ଷ ବର୍ଷ ଧରି ଜଳୁନଥିବା ଦେଖିବାକୁ ମିଳିଛି ।
ବରଗାଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ହାଟପଦାଠାରେ ମଧ୍ୟ ଲାଗିଥିବା ହାଇମାକ୍ସ ଲାଇଟଟି ମଧ୍ୟ ଦୀର୍ଘ ମାସ ହେଲା ଅଚଳ ହୋଇ ପଡିଥିବା ବେଳେ ଏହି ପଞ୍ଚାୟତର ସୌରୀବେଙ୍ଗେସ ଗ୍ରାମରେ ଲାଗିଥିବା ସମସ୍ତ ଲାଇଟ ବର୍ଷେରୁ ଅଧିକ ହେଲା ସଂପୂର୍ଣ୍ଣ ଅଚଳ ହୋଇପଡିଥିଲେ ହେଁ କେହି କର୍ଣ୍ଣପାତ କରୁନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ଆୟୋଗରୁ ଆସୁଥିବା ଅର୍ଥର ଦୂରୁପଯୋଗ ହେତୁ ଏହି ସମସ୍ୟା ଲାଗି ରହିଥିଲେ ହେଁ ପଞ୍ଚାୟତ ଗୁଡିକ ଲଗାମହୀନ ଭାବେ କାର୍ଯ୍ୟକୁ ଜିଲ୍ଲା କିମ୍ବା ବ୍ଳକ ସ୍ତରରେ ନିୟନ୍ତ୍ରଣ କରାଯାଇ ପାରୁନଥିବା ବେଶ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।