ଜହ୍ନାପଙ୍କ,୨୦/୬- ଶହ ଶହ ବର୍ଷ ଧରି ସମ୍ବଲପୁରୀ ବସ୍ତ୍ରର ଆଦର ରହିଆସିଛି । ସାଧାରଣତଃ ଭୁଲିଆ ଜାତିରଲୋକ ଏହାକୁ କୌଳିକ ବୃତ୍ତି ରୂପେ ଗ୍ରହଣ କରି ଆସିଛନ୍ତି । ଭୁଲିଆ ଜାତିର ବୁଣାକାରମାନେ ମଠା, ସମ୍ବଲପୁରୀ ଓ ମୋଟା ସୂତାରେ ଦୈନିକ ଗୃହ ବ୍ୟବହୃତ ପରଦା, ବେଡ଼ସିଟ, ଧୋତି, ଲୁଙ୍ଗି, ଚାଦର ଆଦି ବୁଣିଥାନ୍ତି । ତେବେ ଅନେକ ଏବେ ଫାଇନ ସୂତାରେ କାମକରି ଉନ୍ନତ ମାନର ଶାଢୀ ବୁଣାରେ ସିଦ୍ଧିଲାଭ କରିଛନ୍ତି । ଏପରି ଅନେକ ବୁଣାକାର ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ବୌଦ୍ଧ ବ୍ଳକ ନାରାୟଣନଗର, ଜଗତି, ସୁବର୍ଣ୍ଣପୁର, ହରିପୁର, ଗଜରାଜପୁର, ଅଁଳାପାଲି, ବୁଟୁପାଲି ଗାଁ ଗୁଡିକରେ ଅନେକ ବୁଣାକାର ପରିବାର ଏହି ବୃତ୍ତିରେ ନିୟୋଜିତ ଅଛନ୍ତି । ତେବେ କରୋନା କଟକଣା ଯୋଗୁଁ ସେମାନଙ୍କ ଉତ୍ପାଦିତ ଲୁଗା ବିକ୍ରି କରିବାକୁ ଯାଇପାରୁନାହାନ୍ତି । ବସ ଚଳାଚଳ କରୁନଥିବାରୁ କଞ୍ଚାମାଲ ଯଥା ସୂତା ଓ ରଙ୍ଗ ଅଭାବରୁ ଅନେକ ବୁଣାକାର ପରିବାର ଏବେ ଖାଲି ହାତରେ ବସିଛନ୍ତି ବୋଲି ନାରାୟଣନଗରର ବୁଣାକାର ନେପାଳ ମେହେର ସୂଚନା ଦେଇଛନ୍ତି । ପୂର୍ବରୁ ବିଜେପୁର ଓ ବରପାଲି ଅଞ୍ଚଳର କିଛି କପଡା ବେପାରୀ ବୁଣାକାରଙ୍କୁ ସୂତା ଓ ରଙ୍ଗ ଯୋଗାଇ ଦେଉଥିଲେ । ଶାଢ଼ୀଟିଏ ବୁଣିବାପାଇଁ ପ୍ରତି ବୁଣାକାରଙ୍କୁ ମିଳେ ୮୦୦ ଟଙ୍କା ମଜୁରୀ । ଶାଢ଼ୀଟିଏ ସମ୍ପୂର୍ଣ୍ଣ କରିବାକୁ ଦୁଇରୁ ତିନି ଦିନ ଲାଗେ ।ଏବେ ଲକଡାଉନ ଯୋଗୁଁ ବୁଣା ଖର୍ଚ୍ଚ ବାବଦରେ ୫୦୦ ଟଙ୍କା ଓ ଆବଶ୍ୟକ ପରିମାଣରେ ସୂତା ଓ ରଙ୍ଗ ଦେଉନଥିବା କେତେକ ବୁଣାକାର ଅଭିଯୋଗ କରିଛନ୍ତି । ସମ୍ବଲପୁର ଶାଢ଼ୀର ବିକ୍ରି ବିଶେଷ କରି କଟକ, ଭୁବନେଶ୍ୱରରେ ହେଉଥିବାବେଳେ ବସ ବନ୍ଦ ଯୋଗୁଁ ବିକ୍ରି କରିନପାରି କ୍ଷତି ସହୁଛନ୍ତି । ରାଜ୍ୟ ସରକାର ଏଭଳି ବୁଣାକାରମାନଙ୍କୁ ଚିହ୍ନଟ କରି ସେମାନଙ୍କର ଅର୍ଥନୈତିକ ଓ ସାମାଜିକ ବିକାଶ ନିମନ୍ତେ ସରକାରୀ ସହାୟତା କରିବାକୁ ଅଞ୍ଚଳର ବୁଣାକାରମାନେ ଦାବି କରିଛନ୍ତି ।