ଆରମ୍ଭ ହେବାକୁ ଯାଉଛି ଓଡିଆ ସିନେ ଜଗତର ସ୍ୱର୍ଣ୍ଣିମ ଅଧ୍ୟାୟ । ଏକଦା ନିଜର ଅସ୍ତିତ୍ୱ ହରାଇବାକୁ ବସିଥିବା ଓଡିଆ ସିନେ ଜଗତ ଏବେ ଜାତୀୟ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଓଡିଆ ସିନେ ଜଗତକୁ ଆହୁରି ଅଧିକ ମଜଭୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଓଡିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ୱତନ୍ତ୍ର ଚଳଚ୍ଚିତ୍ର ନୀତି ପ୍ରଣୟନ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ । ଗତ ଶୁକ୍ରବାର ସଂସ୍କୃତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ତଥା କଳାକାରମାନଙ୍କ ସହ ଓଡ଼ିଆ ସିନେମାର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ଓଡ଼ିଆ ଚଳଚ୍ଚିତ୍ରକୁ ଜାତିର ଅସ୍ମିତାର ପରିଚୟ ଭାବେ ବର୍ଣ୍ଣନା କରି ଖୁବ୍ ଶୀଘ୍ର ନୂତନ ‘ଚଳଚ୍ଚିତ୍ର ନୀତି’ର ପ୍ରଣୟନ ହେବ ବୋଲି ଘୋଷଣା କରିଛନ୍ତି ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିନେମାର ପ୍ରକୃତ ସଂଜ୍ଞା ଉପରେ ଆଲୋକପାତ କରିବା ସହିତ ଓଡିଆ ସିନେମାର ଲୋକପ୍ରିୟତା ଉପରେ ନିଜର ମତ ରଖିଥିଲେ । ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦକ୍ଷତା ହାସଲ କରିବା ପାଇଁ ଓଡ଼ିଶାରେ ଫିଲ୍ମ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟର ଆବଶ୍ୟକତା ଅଛି ବୋଲି ପ୍ରକାଶ କରି ଓଡ଼ିଶାରେ ଏହିପରି ଏକ ପ୍ରତିଷ୍ଠାନ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଓଡିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ ଅର୍ଥ କେବେ ବାଧକ ହେବ ନାହିଁ ଏବଂ ଖୁବଶୀଘ୍ର ରାଜ୍ୟରେ ଏକ ଶକ୍ତିଶାଳୀ ଚଳଚ୍ଚିତ୍ର ଭିତ୍ତିଭୂମି ପ୍ରସ୍ତୁତ କରାଯିବ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ଦିଗପହଣ୍ଡି ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସିନେ ଜଗତର ଲୋକପ୍ରିୟ କଳାକାର ଅନୁଭବ ମହାନ୍ତି, ଅନୁ ଚୌଧୁରୀ, ପୁଷ୍ପା ପଣ୍ଡା, ହରିହର ମହାପାତ୍ର, ପିଙ୍କି ପ୍ରଧାନ, ପ୍ରଯୋଜକ ସିଦ୍ଧାର୍ଥ ଅଗ୍ରୱାଲଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓ ସିନେ ଟେକ୍ନିସିଆନମାନେ ଏହି ଆଲୋଚନାରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏହି ସମସ୍ତ କଳାକାର ଓ ଚଳଚ୍ଚିତ୍ର କର୍ମୀଙ୍କ ସହ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ସେଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
