ଭୁବନେଶ୍ୱର,୨୭/୬- ବରିଷ୍ଠ ସାମ୍ବାଦିକ ତଥା ନେତା ଲାଇଫଲାଇନର ସଂପାଦକ ଜୀମୂତ ବାହନ ମଙ୍ଗରାଜ ଆଜି ଏକ ସଡକ ଦୁର୍ଘଟଣାରେ ପରଲୋକ ଗମନ କରିଛନ୍ତି । ଶ୍ରୀ ମଙ୍ଗରାଜ ଆଜି ଅପରାହ୍ନ ସାଢେ ୫ଟାରେ ନିଜଗ୍ରାମ ଖୋର୍ଦ୍ଧା ବରୁଣେଇ ଯାଇ ଭୁବନେଶ୍ୱର ଫେରିବା ସମୟରେ ଖୋର୍ଦ୍ଧା-ଭୁବନେଶ୍ୱର ଜାତୀୟ ରାଜପଥର ଯାଆଁଳା ନିକଟରେ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ମୃତ୍ୟୁବେଳକୁ ଶ୍ରୀ ମଙ୍ଗରାଜଙ୍କ ବୟସ ୬୪ ବର୍ଷ ହୋଇଥିଲା । ଦୁର୍ଘଟଣା ଖବର ପାଇ ଯାଆଁଳା ଫାଣ୍ଡି ଅଧିକାରୀ ତୁରନ୍ତ ତାଙ୍କୁ ଭୁବନେଶ୍ୱର ଏମ୍ସ ହସପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀ ମଙ୍ଗରାଜ ପ୍ରଜାତନ୍ତ୍ରରୁ ତାଙ୍କର କ୍ୟାରିଆର ଆରମ୍ଭ କରିଥିବାବେଳେ ସମ୍ବାଦ ସମେତ ବହୁ ଖବରକାଗଜରେ ଜଣେ ଆଗଧାଡିର ସାମ୍ବାଦିକ ହିସାବରେ କାର୍ଯ୍ୟ କରିଥିଲେ । ବିଜୁ ପଟ୍ଟନାୟକ ସାମ୍ବାଦିକତା କଲେଜରେ ସେ ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିବାବେଳେ ବିଭିନ୍ନ ସମୟରେ ସ୍ତମ୍ଭ ରଚନାକରି ସବୁବେଳେ ସାଧାରଣରେ ଚର୍ଚ୍ଚିତ ଥିଲେ । ଏହାବ୍ୟତୀତ ସ୍ୱର୍ଗତ ମଙ୍ଗରାଜ ଉକ୍ରଳ ସାମ୍ବାଦିକ ସଂଘ, ସଚିବାଳୟ ସାମ୍ବାଦିକ ସଂଘରେ ବିଭିନ୍ନ ପଦପଦବୀରେ ରହି ସାମ୍ବାଦିକମାନଙ୍କ ପାଇଁ ବହୁ କାର୍ଯ୍ୟ କରିଥିଲେ । ତାଙ୍କ ପରଲୋକ ଖବରପାଇ ରାଜଧାନୀର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଥିବାବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତାଙ୍କର ଆକସ୍ମିକ ମୃତ୍ୟୁରେ କୋହ ପ୍ରକାଶ ପାଇଛି ।