ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଅଭିଯାନ ସମୟ ସହିତ ବୃଦ୍ଧି ପାଇବାରେ ଲାଗିଛି । ଟିକା ଦେବାରେ ଭାରତ ମଧ୍ୟ ଆମେରିକାକୁ ପଛରେ ପକାଇ ଦେଇଛି । ଆମେରିକା ଠାରୁ ଭାରତ ଗୋଟିଏ ମାସ ବିଳମ୍ବରେ ଟିକାକରଣ ଅଭିଯାନ ଆରମ୍ଭ କରିଥିଲା । କେବଳ ଏତିକି ନୁହେଁ ଏହି ପ୍ରସଙ୍ଗରେ ଭାରତ ବ୍ରିଟେନ, ଇଟାଲୀ, ଜର୍ମାନୀ ଏବଂ ଫ୍ରାନ୍ସଠାରୁ ମଧ୍ୟ ଆଗରେ ରହିଛି । ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତରେ ଏପର୍ଯ୍ୟନ୍ତ ମୋଟ ୩୨.୩୬ କୋଟି ଟିକା ଡୋଜ ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୭,୨୧,୨୬୮ ଡୋଜ ଦିଆଯାଇଛି । ଆଜି ସୁଦ୍ଧା ସମୁଦାୟ ଟିକାକରଣ ସଂଖ୍ୟା ୩୨,୩୬,୬୩,୨୯୭ ହୋଇଛି । ଟୀକାକରଣ କ୍ଷେତ୍ରରେ ଚୀନ୍ ପ୍ରଥମ ସ୍ଥାନରେ ରହିଛି । ଭାରତର ଟିକାକରଣ କାର୍ଯ୍ୟକ୍ରମର ଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟୁଇଟ୍ କରିଛନ୍ତି । ସେ ନିଜ ଟ୍ୱିଟ୍ରେ ଲେଖିଛନ୍ତି, ଭାରତର ଟିକାକରଣ ଅଭିଯାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଏଥିରେ ଜଡିତ ସମସ୍ତଙ୍କୁ ଅଭିନନ୍ଦନ । ଆମର ପ୍ରାଥମିକତା ସମସ୍ତଙ୍କୁ ମାଗଣା ଟିକା ଦେବା ।