ଭୁବନେଶ୍ୱର,୨୯/୬- ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟତଃ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ ମଧ୍ୟ ଅଳ୍ପ କେତେକ ଜିଲ୍ଲାରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏହାସହିତ ଘରକୁ ଘର ବୁଲି ଚାଲିଥିବା ସର୍ଭେ କାର୍ଯ୍ୟକ୍ରମ ଦ୍ୱାରା କୋଭିଡ ତଥା ଅନ୍ୟନ୍ୟ ରୋଗୀମାନଙ୍କର ଚିହ୍ନଟ ଏବଂ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇପାରୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହାକୁ ଆହୁରି ଗୁରୁତର ସହ କାର୍ଯ୍ୟକାରୀ କରିବାପାଇଁ ପରାମର୍ଶ ଦେଇଥିଲେ । ତୃତୀୟ ଲହରରେ ପ୍ରସ୍ତୁତି ସ୍ୱରୂପ ଶିଶୁରୋଗ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ତଥା ଡାକ୍ତରମାନଙ୍କର ଏ ସଂପର୍କିତ ତାଲିମକୁ ପ୍ରାଥମିକତା ଦେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ବିଭିନ୍ନ ଡାକ୍ତରଖାନା ମାନଙ୍କରେ ଅକ୍ସିଜେନ ପ୍ଲାଣ୍ଟ ଯେପରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକ୍ଷମ ହୋଇପାରିବ, ତାହା ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶୀଘ୍ର ଟିକାକରଣ ଆଗାମୀ କିଛି ମାସ ପାଇଁ ଆମର ମୁଖ୍ୟ ଫୋକସ ହୋଇରହିବ । ବର୍ତ୍ତମାନ ଆମେ ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦେଉଛୁ ବୋଲି ପ୍ରକାଶ କରି ଟିକାକେନ୍ଦ୍ର ମାନଙ୍କରେ ବିଭିନ୍ନ ସୁବିଧାର ବିକାଶ ପାଇଁ ଜିଲ୍ଲାପାଳ ମାନେ ବ୍ୟକ୍ତିଗତ ଭାବେ ଦୃଷ୍ଟିଦେବା ପାଇଁ ସେ ପରାମର୍ଶ ଦେଇଥିଲେ । କୋଭିଡ ନିୟମ ସଂପର୍କରେ ଲୋକମାନଙ୍କୁ ବାରମ୍ବାର ସଚେତନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବାସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଭିଡସ୍ଥାନକୁ ନ ଯିବା ଆଦି କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ସମୀକ୍ଷାରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମାଞ୍ଚଳର ୧୭ଟି ଜିଲ୍ଲାରେ ଆଂଶିକ ଅନ୍ଲକ୍ ପରେ ମଧ୍ୟ କୋଭିଡ କେସ୍ରେ କୌଣସି ବୃଦ୍ଧି ହୋଇନାହିଁ । କିନ୍ତୁ ଉପକୂଳ ଓ ଉତ୍ତର ଓଡିଶାର ଅଭିବକ୍ତ ପୁରୀ, କଟକ, ବାଲେଶ୍ୱର ଓ ମୟୁରଭଞ୍ଜ ଆଦି ଜିଲ୍ଲା ମାନଙ୍କରେ ସଂକ୍ରମଣ ହାର ଅଧିକ ଥିବାରୁ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ସେ ସୂଚନା ଦେଇଥିଲେ । ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର କହିଥିଲେ ଯେ ଗଞ୍ଜାମ ଓ ଝାରସୁଗୁଡା ଜିଲ୍ଲାରେ ସଂକ୍ରମଣ ହାର ଏକ ପ୍ରତିଶତରୁ ତଳେ ଥିବାବେଳେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୯-୧୫ ପ୍ରତିଶତ ରହୁଥିବାରୁ ଏହା ଉପରେ ଅଧିକ ଫୋକସ କରାଯାଇଛି । ଲକ୍ଡାଉନ କଡାକଡି ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଆଦି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଜୁଲାଇ ୧୫ ବେଳକୁ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସେ ସୂଚନା ଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।