ଜିଲ୍ଳାପାଳ ସୁବର୍ଣ୍ଣପୁରଙ୍କ ସାଗରପାଲି ଗସ୍ତ – ଅନ ଲାଇନ ବଜାର ବ୍ୟବସ୍ଥା ଓ ଦକ୍ଷତା ବୃଦ୍ଧିରେ ନୂଆଁନୂଆଁ ଡିଜାଇନକୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ
ସୁବର୍ଣ୍ଣପୁର,୦୨/୦୭- ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ସୋନପୁର ବ୍ଲକ ର ସାଗରପାଲି ଗ୍ରାମ ଗସ୍ତରେ ଯାଇ ବୟନ ଶିଳ୍ପ ଓ ହସ୍ତ ତନ୍ତ ଶିଳ୍ପ ଦକ୍ଷତା ବୃଦ୍ଧି ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଗାଇଦିଆଯାଉଥିବା ବୟନ ନିମନ୍ତେ ଆବଶ୍ୟକ କଞ୍ଚାମାଲ ଓ ବୟନ ଉପକରଣ ପ୍ରଭୁତି ପରିଦର୍ଶନ କରିଥିଲେ । ରେଶମ ବାନ୍ଧ ଶାଢ଼ୀ ଓ ତତସମ୍ୱନ୍ଧୀୟ ସାମଗ୍ରୀ ପ୍ରସ୍ତୁତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରି ଜିଲ୍ଲାର ବୁଣାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ ରେଶମ ଶାଢ଼ୀ ର ଚାହିଦାକୁ ଅନଲାଇନ ବଜାର ମାଧ୍ୟମରେ ରାଜ୍ୟ,ତଥା ଦେଶ ବିଦେଶରେ ଉପଲବ୍ଧ କରାଇବାକୁ ଜିଲ୍ଲାପାଳ ବିଭାଗୀୟ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି ।
ବୟନ ଶିଳ୍ପକୁ ଜିଲ୍ଲାରେ ଆହୁରି ଲୋକାଭିମୁଖୀ ତଥା ଉତ୍ପାଦିତ ସାମଗ୍ରୀର ବିକ୍ରିବଟାର ସୁବ୍ୟବସ୍ଥିତ ଓ ସୁଦୂର ପ୍ରସାରୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଏହି ପରିପ୍ରେକ୍ଷୀରେ କହିଛନ୍ତି କି ଦକ୍ଷତା ବୃଦ୍ଧିରେ ନୂଆଁ ନୂଆଁ ଡିଜାଇନକୁ ସାମିଲ କରି ଉତ୍ପାଦିତ ବୟନ, ହସ୍ତତନ୍ତ ସାମଗ୍ରୀକୁ ବିକଶିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲପାଳ ଗସ୍ତ ଅବସରରେ ସାଗରପାଲି ସ୍ଥିତ ମାଁ ତନ୍ତୁବାୟ ସହଯୋଗ ସମିତି ଓ ଗଙ୍ଗାଧର ତନ୍ତୁବାୟ ସହଯୋଗ ସମିତିର ବୁଣାକାର କର୍ମଶାଳା ପରିଦର୍ଶନ କରି ବୁଣାକାର ଓ ସମ୍ପୃକ୍ତ କର୍ମକର୍ତ୍ତାଙ୍କ ସହ ବୟନତନ୍ତ ସମ୍ୱନ୍ଧୀୟ ଆଲୋଚନା କରିଥିଲେ । ଏହି ଅବସରରେ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ, ସୁବର୍ଣ୍ଣପୁର, ଶ୍ରୀ ଉମେଶ ଚନ୍ଦ୍ର ଦାଶ,ବୁଣାକାର ତତ୍ୱାବଧାରକ ଧ୍ରୁବରାଜ ମେହେର, ବୟନ ନିରୀକ୍ଷକ ସତ୍ୟ ନାରାୟଣ ମହାଲିକ, ବୈଷୟିକ ସହାୟକ ସମ୍ଭୁପ୍ରସାଦ କୁମୁରା ଓ ବିଭାଗୀୟ କର୍ମଚାରୀ, ସମିତି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।