ସମ୍ବଲପୁର : ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲ ଭିମସାରକୁ ଚିକିତ୍ସା ପାଇଁ ଆସୁଥିବା ଲୋକମାନେ ବାରମ୍ବାର ଠକେଇର ଶିକାର ହେଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ଚିକିତ୍ସା ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯାଉଥିବା ସ୍ଥଳେ ସେଠାରେ ସକ୍ରିୟ କିଛି ଖଳପ୍ରବୃତ୍ତିର ଲୋକେ ବିଭିନ୍ନ ଉପାୟରେ ଠକି ଚାଲିଛନ୍ତି । ସେଠାରେ ଜରୁରୀକାଳୀନ ବିଭାଗକୁ ଆସୁଥିବା ଲୋକଙ୍କ ଠାରୁ ଗେଟପାସ ନାଁ ରେ ସୁବିଧା ଦେଖି ୧୦୦ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଲୁଟି ନିଆଯାଉଥିବା ଅଭିଯୋଗ ବର୍ତ୍ତମାନ ସାମ୍ନାକୁ ଆସୁଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ଗେଟପାସ ନାଁରେ ସାଦା କାଗଜରେ ରବର ଷ୍ଟାମ୍ପ ମାରି ଧରେଇ ଦିଆଯାଉଛି । ଏଥିପାଇଁ କୌଣସି ଅଧିକୃତ ଆଦେଶ ଦିଆ ଯାଇନାହିଁ ଓ ସେଠାକାର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପ୍ରରୋଚନାରେ ଏପରି କରାଯାଉଛି ବୋଲି କୁହାଯାଇଛି । ସେଠାକୁ ଦୂରଦୂରାନ୍ତରୁ ଆସୁଥିବା ନିରୀହ ରୋଗୀ ଓ ସେମାନଙ୍କ ପରିଜନ ଏପରି ଲୁଟର ଶିକାର ହେଉଛନ୍ତି । ଏପରି ଅଭିଯୋଗ ସତ୍ତେ୍ୱ ଏହା ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି ।