ଭୁବନେଶ୍ୱର,୭/୭- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ ୫୦୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । କୋଭିଡର ଦ୍ୱିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାରମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି । ଏହା ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ”ମୁଁ ଜାଣେ କାରୋନା ରୋଗ ଯୋଗୁଁ ଗରିବ ଲୋକଙ୍କ ରୋଜଗାର ଉପରେ ବହୁତ ପ୍ରଭାବ ପଢିଛି । ଆପଣମାନଙ୍କ ରୋଜଗାର ଉପରେ ମଧ୍ୟ ବହୁତ ପ୍ରଭାବ ପଡିଛି । ଏ ବିପଦ ସମୟରେ ଆପଣମାନେ ଏକା ନୁହନ୍ତି । ଆପଣଙ୍କ ସାଥିରେ ସରକାର ଅଛନ୍ତି । ଆପଣଙ୍କ କଲ୍ୟାଣ ପାଇଁ ସରକାର କାମ କରୁଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ୧୬୭୯ ଟି ପିଭିଟିଜି ଗାଁ ରହିଛି । କୋଭିଡ ସମୟରେ ରାଜ୍ୟ ସରକାର ମାସ୍କ ସାନିଟାଇଜର ଓ ସାବୁନ ବଣ୍ଟନ ସହିତ ସଙ୍ଗରୋଧ କେନ୍ଦ୍ର ଏବଂ ଟୀକାକରଣକୁ ପ୍ରାଥମିକତା ଦେଇ କୋଭିଡ ପରିଚାଳନା କରୁଛନ୍ତି । ପିଭିଟିଜି ଜନଜାତିଙ୍କ ମଧ୍ୟରୁ ୩୧୪ ଜଣ କୋଭିଡ଼ ପୀଡ଼ିତ ହୋଇଥିଲେ ମଧ୍ୟ ଗୋଟିଏ ବି ଜୀବନ ହାନି ହୋଇନାହିଁ ବୋଲି ଜଣାପଡିଛି । ପିଭିଟିଜି ଗାଁ ମାନଙ୍କରେ ୧୮ଟି ଆମ୍ବୁଲାନ୍ସ ସହିତ କୋଭିଡ ପରିଚାଳନାକୁ ତ୍ୱରାନ୍ୱିତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଛନ୍ତି, “ମୁଁ ବହୁତ ଖୁସି ଯେ ଆଜି ଆପଣଙ୍କ ବ୍ୟାଙ୍କ ଖାତାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଭାବରେ ୫୦୦୦ ଟଙ୍କା ଜମା କରାଗଲା । ରାଜ୍ୟର ସବୁ ପିଭିଟିଜି ଜନଜାତି ଗାଁ ର ସବୁ ପରିବାର ଏହି ସହାୟତା ପାଇବେ । ଆମର ପିଭିଟିଜି ଜନଜାତି ଭାଇ ଭଉଣୀଙ୍କ ମଧ୍ୟରୁ ୩୦୦ ରୁ ଅଧିକ ଲୋକ କାରୋନାରେ ପୀଡିତ ଥିଲେ । ସେତେବେଳେ ସେମାନଙ୍କୁ ୨୫୦୦ ଟଙ୍କାର ରାସନ କିଟ୍ ଦିଆଯାଇଥିଲା । ତା ସହିତ ମଜୁରୀ କ୍ଷତି ଭରଣା ପାଇଁ ୧୪୦୦ ଟଙ୍କା ଲେଖାଏଁ ଦିଅଯାଇଥିଲା ।“ ସମସ୍ତେ ସଚେତନ ରହିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ବିଷୟରେ ଆମେ ବିଶେଷ କିଛି ଜାଣି ନାହୁଁ । ତେଣୁ ଆମକୁ ସାବଧାନ ରହିବାକୁ ହେବ । ମାସ୍କ ପିନ୍ଧିବା , ବାରମ୍ବାର ସାବୁନରେ ହାତ ଧୋଇବା ଓ ଭିଡରୁ ଦୂରରେ ରହିଲେ କାରୋନା ଆମଠାରୁ ଦୂରେଇଯିବ । ତା ସହିତ ସମସ୍ତଙ୍କ ପାଇଁ ଦୁଇ ଡୋଜ ଟୀକା ଖୁବ ଜରୁରୀ । ସେମାନଙ୍କ ମଧ୍ୟରୁ ଅନେକ ଜଣ ଟୀକା ନେଲେଣି ଜାଣି ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିବା ସହିତ ସମସ୍ତେ ଟୀକା ନିଅନ୍ତୁ , ନିଜ ପରିବାର , ବନ୍ଧୁ ସମସ୍ତଙ୍କୁ ଟୀକା ନେବାକୁ କୁହନ୍ତୁ ବୋଲି ଅନୁରୋଧ କରିଥିଲେ । ସେହିପରି ଏସସି ଏସଟି ଛାତ୍ର ଛାତ୍ରୀଙ୍କ ବୃତ୍ତିି ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ଯୋଗୁଁ ପିଲାମାନେ ଗତ ଏକ ବର୍ଷରୁ ଅଧିକ ସମୟ ହେଲା ହଷ୍ଟେଲ ଛାଡି ଘରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ , “ ମୁଁ ଆଶା କରୁଛି ତୁମେ ମାନେ ଘରେ ମଧ୍ୟ ନିଜ ପାଠ ପ୍ରତି ଧ୍ୟାନ ଦେବ । ମୁଁ ଚାହେଁ ତୁମେ ମାନେ ଭଲ ପାଠ ପଢ । ବଡ ମଣିଷ ହୁଅ । ତୁମ ପରିବାର , ତୁମ ଗାଁ , ତୁମ ସମାଜକୁ ବିକାଶ ସହ ଯୋଡି ପରିବର୍ତ୍ତନର ସାରଥି ହୁଅ ଆଜି ମଧ୍ୟ ୬୦,୦୦୦ ଏସସି ଏସଟି ଛାତ୍ର ଛାତ୍ରୀଙ୍କୁ ଏପ୍ରିଲ, ମେ ଓ ଜୁନ ଏ ତିନି ମାସ ପାଇଁ ଏକକାଳୀନ ପ୍ରାକ ମାଟ୍ରିକ ଛାତ୍ରବୃତ୍ଥି ଦିଆଗଲା । ଏହା ପିଲାଙ୍କ ବାପା ମାଙ୍କ ବ୍ୟାଙ୍କ ଖାତାରେ ଜମା ହେଲା । ଝିଅ ମାନଙ୍କ ପାଇଁ ୨୪୦୦ ଟଙ୍କା ଓ ପୁଅ ମାନଙ୍କ ପାଇଁ ୨୨୫୦ ଟଙ୍କା ଦିଆଗଲା । ସମୁଦାୟ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ । ସୂଚନାଯୋଗ୍ୟ ଯେ ଗତବର୍ଷ ମଧ୍ୟ କୋଭିଡ ଯୋଗୁଁ ଆଗୁଆ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । କୋଭିଡ ପରିଚାଳନାରେ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତତ୍ୱ ଯୋଗୁଁ ରାଜ୍ୟର ଛବି ଉଜ୍ଜ୍ୱଳ ହୋଇଛି ବୋଲି ସେ କହିଥିଲେ । ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ସହାୟତା ଦ୍ବାରା ଜନଜାତି ସମୁଦାୟଙ୍କ ଆର୍ଥିକ, ସାମାଜିକ ବିକାଶ ହେବା ସହିତ ସେମାନଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ । ଚିତ୍ରକୋଣ୍ଡା ଓ କରଞ୍ଜିଆର ବିଧାୟକ ମଧ୍ୟ ଉପସ୍ଥିତ ରହି ସେମାନଙ୍କର ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର କେତେକ ଚଠଞଏ ପରିବାର ସହିତ ଆଲୋଚନା କରିଥିଲେ । ରାୟଗଡାର ଲହରୀ ଗୁଣ୍ଡିଆ, କଳାହାଣ୍ଡିର ରତନୀ ମାଝି ଏବଂ ଆଉ କେତେ ଜଣ ହିତାଧିକାରୀ ୫୦୦୦ ଟଙ୍କାର ସ୍ୱତନ୍ତ୍ର କୋଭିଡ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ସେମାନେ କୋଭିଡ ସମୟରେ ସରକାରଙ୍କ ଠାରୁ ଉତ୍ତମ ସେବା ପାଉଛନ୍ତି ବୋଲି ଜଣାଇଥିଲେ । ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁସୂଚିତ ଜନଜାତି ଓ ଜାତି ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ସ୍ୱାଗତ ଭାଷଣ ଦେଇଥିଲେ ଓ ଜନଜାତି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର , ଉନ୍ନୟନ କମିଶନର ଶ୍ରୀ ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।