ଘୁ ଉଦୟଗିରି : ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିଜେପି ତରଫରୁ ଘୁ ଉଦୟଗିରି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହାସହ ଗରିବ ତଥା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇବା ପାଇଁ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ବିଜେପି ବ୍ଲକ ସଭାପତି ମାୟାବନ୍ଧୁ ପ୍ରଧାନ ଓ ନଗର ସଭାପତି ଉଦେଶନ ପ୍ରଧାନ, ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ପ୍ରଧାନମନ୍ତ୍ରୀ ଆବାସ ଘର ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ନାରା ଦେଇଥିବା ଦେଖିବାକୁ ମିଳିଛି । ଗରିବ ତଥା ବାସହୀନ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଦେଉଥିବା ଆବାସକୁ ହରିଲୁଟ କରାଯାଉଛି, ଜମିବାଡି, କୋଠା ଥିବା ଲୋକେ ଠକେଇ କରି ଘର ହାତେଇଥିବାରୁ ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଂଚିତ ହୋଇଛନ୍ତି । ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରିବା ସହିତ ରାଜ୍ୟକୁ ଘର ଯୋଗାଇଦେଇଛନ୍ତି । ହେଲେ ରାଜ୍ୟ ସରକାରଙ୍କ ଅପାରଗତା ତଥା ପକ୍ଷପାତିତା ଯୋଗୁ ଜିଲ୍ଲାର ଅନେକ ଗରିବ ଲୋକଙ୍କୁ ଘର ମିଳିନାହିଁ । ତେଣୁ ପ୍ରଧାନମନ୍ତ୍ରୀ ଆବାସରେ ଘୋଟାଲା କରିଥିବା ଲୋକ, ନେତା ତଥା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଛନ୍ତି । ଘୁ ଉଦୟଗିରି ବ୍ଲକ ଅଧିନାରେ ଥିବା କୃଷକମାନେ ଆଜି ପର୍ଯ୍ୟନ୍ତ ନିଜ ବିଲରେ ପାଣି ପାଇଲେ ନାହିଁ କାରଣ କେନାଲ ଗୁଡିକ ମରାମତି ହେଉନ ଥିବା ସକାସୁ କୃଷକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କାକାଳବାକି ଘାଇର ପାଣି ଉପରେ ଅନେକ ଗ୍ରାମ ତଥା ମାଳିକାପଡି ,ଜଡାଙ୍ଗବାଲି, ବାଡେନାକଜୁ, କୁପାଗୁଡା, ନୁଆସାହି, କନାବାଗିରି,ବାଲୁପାଙ୍ଗା,ଓ ଘୁ ଉଦୟଗିରି ଆଂଶିକ ପାଣି ନ ପାଇବା ସକାସେ ଚାଷ କରିବା ବଦଳରେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ନଗର ସଭାପତି ଉଦେଶନ ପ୍ରଧାନ ପ୍ରକାଶ କରିଛନ୍ତି । ଆବାସ ଯୋଜନା କାର୍ଯ୍ୟକାରୀତାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଘୁ ଉଦୟଗିରି ବ୍ଲକ ବିଜେପି ସଭାପତି ମାୟାବନ୍ଧୁ ପ୍ରଧାନଙ୍କ ଓ ନଗର ସଭାପତି ଉଦେଶନ ପ୍ରଧାନଙ୍କ ନେତୃତ୍ୱରେ ଦଳର ଶତାଧିକ କର୍ମକର୍ତ୍ତାମାନେ ସ୍ଥାନୀୟ ଗାନ୍ଧୀ ଛକ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଘୁ ଉଦୟଗିରି ବିଡିଓ ବିଜୟ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ଓ ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଶାନ୍ତ ବଗର୍ତ୍ତି ସାଧାରଣ ସମ୍ପାଦକ, ବିଶିଷ୍ଟ ପ୍ରଧାନ ନଗର ଉପସଭାପତି, ଇନ୍ଦ୍ରମଣି ନାୟକ ସଭ୍ୟ, ଅବନେଶ୍ୱର ପ୍ରଧାନ ଜିଲ୍ଲା କୃଷକ ମୋର୍ଚ୍ଚା, ରାମବିସି ଦିଗାଲ ଭି ପି ଏସ୍ ସି ମୋର୍ଚ୍ଚା, ଭୀମସେନ ପ୍ରଧାନ ବରିଷ୍ଠ କର୍ମୀ, ଯାଜୁ ପ୍ରଧାନ ବରିଷ୍ଠ କର୍ମୀ ସମେତ ଅନେକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ ।