ବଲାଙ୍ଗୀର,୧୧/୭- ଆଜି ପୁଣି ବଲାଙ୍ଗୀର ଜିଲ୍ଲାରେ ବନ୍ଦ୍ ଅଛି ଟୀକାକରଣ । ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ସମଗ୍ର ଜିଲ୍ଲାରେ ଗତକାଲି ମାତ୍ର ୯ଟି କେନ୍ଦ୍ରରେ ୧୪୦୦ପାଖାପାଖି ଡୋଜ୍ ଟୀକା ଦିଆଯାଇଥିଲା । କିଛି ଦିନ ବିରାମ ପରେ ତା ପୂର୍ବ ଦିନ ୬୩ଟି କେନ୍ଦ୍ରରେ ୧୦,୨୦୦ ପ୍ରାୟ ଟୀକା ଦିଆଯାଇଥିଲା । ଲୋକଙ୍କ ଭିଡ ଜମୁଛି । ଘଣ୍ଟା ଘଣ୍ଟା ଧାଡିରେ ଛିଡା ହେବା ପରେ ନିରାଶ ହୋଇ ଲୋକଙ୍କୁ ଫେରିବାକୁ ପଡୁଛି । ଯାହା ଲୋକଙ୍କୁ ବିଶେଷତଃ ବୟସ୍କ ଓ ମହିଳାଙ୍କ ପାଇଁ କଷ୍ଟଦାୟକ ବୋଲି ମତପ୍ରକାଶ ପାଉଛି । ଏ ପର୍ଯ୍ୟନ୍ତ ୩ଲକ୍ଷ ୪୪ହଜାର ୩ଶହ ୧୭ଡୋଜ୍ ଦିଆଯାଇଛି । ତହିଁରେ ୨,୮୪,୬୦୮ ପ୍ରଥମ ଡୋଜ୍ ଓ ୫୯,୭୦୯ଙ୍କୁ ୨ୟ ଡୋଜ୍ ଦିଆଯାଇଛି । ପ୍ରଥମ ଡୋଜ୍ ନେଇଥିବା ଅନେକଙ୍କ ୮୪ଦିନ ଅବଧି ପୂରିଥିଲେ ସୁଦ୍ଧା ୨ୟ ଡୋଜ୍ ଟୀକା ଅଭାବ କାରଣ ଓ କେନ୍ଦ୍ରରେ ଗହଳି ଯୋଗୁଁ ନେଇ ନ ଥିବା କହିଛନ୍ତି । ଦିନକରେ ରେକର୍ଡ ସଂଖ୍ୟକ ଟୀକାକରଣ ଶୀର୍ଷକ ଖବର ଯେତିକି ଉତ୍ସାହଜନକ ତା ପର ଦିନ କେନ୍ଦ୍ର ବନ୍ଦ ସେତିକି ଦୁଃଖଦାୟକ ବୋଲି ମତ ପ୍ରକାଶ ପାଉଛି । ୨ୟ ଡୋଜକୁ ଅଗ୍ରାଧିକାର ଓ ସ୍ୱତନ୍ତ୍ର କେନ୍ଦ୍ର ଦାବୀ ହେଉଛି । ସେହିପରି ଅପଲାଇନ୍ ବଡ ବଡିଆଙ୍କୁ ସୁହାଉଥିବା ଦେଖାଯାଏ । ଧାଡିରେ ଥିବା ଲୋକ ଜଗିଥିବା ବେଳେ ପଛପଟେ ଗଳି ଆଗ ଟୀକା ନେଇଯାଉଥିବା ଅଭିଯୋଗ ଉପରେ ନଜର ରଖିବାକୁ ଦାବୀ ହେଉଛି ।