କନ୍ଧମାଳ,୧୪/୭- ଆଜିବି କନ୍ଧମାଳ ଜିଲ୍ଲା ଏକ ରେଳବିହୀନ ଓ ଶିଳ୍ପବିହୀନ ଜିଲ୍ଲା ହୋଇ ରହିଛି । ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ଓ ତାଳଚେର-ଲାଞ୍ଜିଗଡ ଭାୟା ଫୁଲବାଣୀ, ବାଲିଗୁଡ଼ା ଦେଇ ଦୁଇଟି ରେଳ ପ୍ରକଳ୍ପର ସର୍ଭେ କେନ୍ଦ୍ର ସରକାର ସାରିଥିଲେ । କିନ୍ତୁ ଆଜିପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ଟଙ୍କାଟିଏ ମଞ୍ଜୁର ହୋଇନାହିଁ । ଏବେ କେନ୍ଦ୍ରରେ ଓଡିଶାରୁ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବାପରେ ପ୍ରକଳ୍ପ ତ୍ୱରାନ୍ୱିତ ହେବା ଆଶା ଉଜ୍ୱଳ ହେବ ବୋଲି ଆଶା କରାଯାଉଛି । ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବାପରେ ତାଳଚେର-ଲାଞ୍ଜିଗଡ଼ ରେଳପ୍ରକଳ୍ପ ପାଇଁ ପୂର୍ବତଟ ରେଳବାଇକୁ ଏକ ସର୍ଭେ ନିମେନ୍ତ ଚିଠି କରିଥିଲେ । ଏହାର ଦୈର୍ଘ୍ୟ ୨୩୦ କିଲୋମିଟର ଓ ଏଥିପାଇଁ ୫୨୦୫.୯୬ କୋଟି ଅଟକଳ ମୂଲ୍ୟର ଏକ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଥିଲେ । ରେଳବିଭାଗ ଏହାର ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଇଛି । ଏହା ଝାରପଡ଼ା ଷ୍ଟେସନରୁ ଆରମ୍ଭ ହୋଇ ବଇଣ୍ଡା, ହଣ୍ଡପା, ଠାକୁରଗଡ, ଆଠମଲ୍ଲିକ, ପୁରୁଣା କଟକ, ଚାରିଛକ, ଆଡେଣିଗଡ, ଗରିପଡ଼ା, ଖଜୁରୀପଡ଼ା, ରଙ୍ଗାପଦର, ଫୁଲବାଣୀ, ରତାଖଣ୍ଡି, ସାରଙ୍ଗଗଡ, ସାପାକାମ୍ବା, ବାଲିଗୁଡ଼ା, ଲାହାଡି, ବାଲିବାଜୁ ଦେଇ ମଦନପୁର-ରାମପୁର, ଗୁଡେନ୍ ଦେଇ ଲାଞ୍ଜିଗଡ଼ ରୋଡରେ ସଂଯୋଗ ହେବ । ଯାହା ଅନ୍ୟ ରେଳପଥ ଅପେକ୍ଷା ଲାଞ୍ଜିଗଡକୁ ଦୂରତା ୧୦୦ କିଲୋମିଟର କମିଯିବ ।
ରେଳବାଇ ବୋର୍ଡର ଏକ ରିପୋର୍ଟକୁ ପୂର୍ବତନ ଭାଜପା ବିଧାୟକ କରେନ୍ଦ୍ର ମାଝୀ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ ମଧ୍ୟ କରିଥିଲେ । କନ୍ଧମାଳ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ରହୁଥିବା ବେଳେ ରେଳପ୍ରକଳ୍ପ ନଥିବାରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯଟନସ୍ଥଳୀକୁ ପର୍ଯ୍ୟଟକ ସୁବିଧାରେ ଆସିପାରୁ ନାହାନ୍ତି । ଏହା ସହ ଜିଲ୍ଲାରେ ଗ୍ରାଫାଇଟ୍ ପାହାଡ ମହଜୁଦ୍ ଥିବାବେଳେ ରେଳ ସଂଯୋଗ ହେଲେ ଏହାକୁ ଭିତ୍ତିକରି ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା ସ୍ୱପ୍ନ ମଧ୍ୟ ସାକାର ହୋଇପାରିବ । ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ରହିବ, ତେବେ ଖୁବ୍ ଶୀଘ୍ର ଜମି ଚିହ୍ନଟ ଓ ଅଧିଗ୍ରହଣ କରି ରେଳବାଇକୁ ପ୍ରଦାନ କଲେ କନ୍ଧମାଳବାସୀ ଉପକୃତ ହେବା ସହ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରୁ ବାଲିଗୁଡା ଉପଖଣ୍ଡ ସଦର ମହକୁମାକୁ ରେଳ ସଂଯୋଗ ହୋଇପାରିବ । ଏଥିସହ ରେଳବିହୀନ ଜିଲ୍ଲା ତାଲିକାରୁ କନ୍ଧମାଳ ବାଦ୍ ପଡ଼ିବ ବୋଲି ମତପ୍ରକାଶ ପାଇଛି ।