ପେଟ୍ରୋଲ, ଡିଜେଲ୍‌ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସର ସାଇକେଲ୍‌ ଶୋଭାଯାତ୍ରା

0 100

ଭୁବନେଶ୍ୱର,୧୪ା୭ : କରୋନା ମହାମାରୀ ମୁକାବିଲାରେ ବିଫଳ ହୋଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ କ୍ରମାଗତ ଭାବେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଟିକସ୍‌ ଲଦି ସାଧାରଣ ଲୋକଙ୍କୁ ଲୁଟ୍‌ କରିବା ନୀତି ପରିହାର କରନ୍ତୁ ବୋଲି ଦାବି କରି ରାଜ୍ୟ କଂଗ୍ରେସ ପକ୍ଷରୁ ଜୁଲାଇ ୭ ରୁ ଜୁଲାଇ ୧୭ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିଛି । ଆଜି ଏହି ଆନ୍ଦୋଳନର ଅଂଶବିଶେଷ ସ୍ୱରୂପ ରାଜଧାନୀ ଭୁବନେଶ୍ୱରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାଇକେଲ୍‌ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ଏବଂ ଆଗକୁ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ଆନ୍ଦୋଳନ ଜାରି ରହିବ ବୋଲି ସାଇକେଲ ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ପି.ସି.ସି. ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ବ୍ୟାରେଲ୍‌ ପିଛା ଦର କମୁଥିବା ବେଳେ ଭାରତରେ ପେଟ୍ରୋଲ୍‌, ଡିଜେଲ୍‌ ଦର କ୍ରମାଗତ ଭାବେ ବୃଦ୍ଧି ପାଇବା ମୋଦି ସରକାରର ଆଚ୍ଛେଦିନର ନଗ୍ନ ନମୂନା ବୋଲି ସେ କହିଥିଲେ । କେବଳ ସେତିକି ନୁହେଁ, ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଦରବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ମହିଳାମାନଙ୍କ ଆଖିରୁ ଲୁହ ବୋହୁଛି ଏବଂ ଏହି ଲୁହ ସରକାରଙ୍କ ଉପରେ ପଡ଼ିବ । ସେହିପରି ଖାଇବା ତେଲର ଦର ମଧ୍ୟ ଲଗାମଛଡ଼ା ବୃଦ୍ଧି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପାଉଥିବାରୁ ଏହା ଖାଉଟିଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ । କରୋନା ମହାମାରୀ କାରଣରୁ ଲୋକଙ୍କ ଅର୍ଥନୀତି ଭୁଶୁଡି ପଡ଼ିଥିବା ବେଳେ ମୋଦି ସରକାର ନିଜର ଅହମିକା ଓ ଅହଂକାର ବଳରେ ସାଧାରଣ ଖାଉଟିଙ୍କ ଉପରେ ଟିକସ ପଇସା ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଆସନ୍ତାକାଲି ୧୫ ତାରିଖ (ଗୁରୁବାର) ପ୍ରମୁଖ ଚାରିଟି ବାମଦଳ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ପି.ସି.ସି. ସଭାପତି ଶ୍ରୀ ପଟ୍ଟନାୟକ କହିବା ସହ ଉକ୍ତ ଗୋଟିଏ ଦିନ ପାଇଁ ପେଟ୍ରୋଲ୍‌, ଡିଜେଲ୍‌ ଓ ରନ୍ଧନଗ୍ୟାସ ନ କିଣିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସେହିପରି ଆଗାମୀ ୧୭ ତାରିଖ ଦିନ ସମସ୍ତ ପେଟ୍ରୋଲ୍‌ ପମ୍ପ ସମ୍ମୁଖରେ କଂଗ୍ରେସ ପକ୍ଷରୁ ହେବାକୁ ଥିବା ଦସ୍ତଖତ ଅଭିଯାନରେ ସାମିଲ୍‌ ହୋଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଖାଉଟିମାନେ ନିଜର ମୂଲ୍ୟବାନ ମତାମତ ଦେବା ସହ ଦସ୍ତଖତ ଦେବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ସାଇକେଲ୍‌ ଶୋଭାଯାତ୍ରାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ୍‌ ଦାଶ ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର୍‌ ନୱାଜଙ୍କ ନେତୃତ୍ୱରେ ୫୦୦ ରୁ ଊଦ୍ଧ୍ୱର୍ ସାଇକେଲ୍‌ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍‌ ଛକ, ଶ୍ରୀୟାଟକିଜ୍‌ ଛକ, ରାମମନ୍ଦିର ଛକ ଦେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ପ୍ଲା କାର୍ଡ ଓ ଦଳୀୟ ପତାକା ସହ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ବିଶେଷକରି ପି.ସି.ସି. ପକ୍ଷରୁ ଗ୍ୟାସ ୮୭୦ ଟଙ୍କା + ଓ ପେଟ୍ରୋଲ୍‌ ଡିଜେଲ୍‌ ୧୦୦ ଟଙ୍କା ପାର୍‌ (ନଟ୍‌ଆଉଟ୍‌) ଗଞ୍ଜି ପିନ୍ଧିବା ଘଟଣା ଲୋକମାନଙ୍କୁ ଆକର୍ଷିତ କରୁଥିଲା । କଂଗ୍ରେସ ଉପରେ ଆରୋପ ପ୍ରତ୍ୟାରୋପ କରୁଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସଲଚିତ୍ର, ଚରିତ୍ର, ଚେହେରା ଓ ଚାଲ୍‌କୁ ଜନସାଧାରଣ ବୁଝିଗଲେଣି ଏବଂ ସେମାନଙ୍କର ଅଘୋଷିତ ଭିତିରି ମେଣ୍ଟର ପର୍ଦ୍ଦାଫାସ୍‌ ହୋଇଛି । ୟୁପିଏ ସରକାର ସମୟରେ ଯେତେବେଳେ କି ତୈଳଦର ବ୍ୟାରେଲ୍‌ ପିଛା ଅତ୍ୟଧିକ ଥିଲା ସେତେବେଳେ କିଛି ପଇସା ଲିଟର ପିଛା ବଢୁଥିବା ବେଳେ ଉଭୟ ମୋଦି ଓ ନବୀନ ସରକାର ରାସ୍ତା ଉପରକୁ ଆସି ନାରାବାଜି କରୁଥିଲେ । ଜୀବନରେ ଶୁଣି ନଥିବା ପେଟ୍ରୋଲ୍‌ ଓ ଡିଜେଲ୍‌ ଲିଟର ପିଛା ୧୦୦ ଟଙ୍କାରୁ ଉଦ୍ଧ୍ୱର୍ ଏବଂ ରନ୍ଧନ ଗ୍ୟାସ ପାଖାପାଖି ୯୦୦ଟଙ୍କା ଛୁଇଁବାକୁ ବସିଥିବା ବେଳେ ଉଭୟ ବିଜେଡି ଓ ବିଜେପି ସରକାର ଚୁପ୍‌ କାହିଁକି ବୋଲି ଯୋଗଦେଇଥିବା କଂଗ୍ରେସ ନେତୃବୃନ୍ଦମାନେ ପ୍ରଶ୍ନକରି ବିଷୋଦଗାର କରିଥିଲେ ।
ଏହି ସାଇକେଲ୍‌ ଶୋଭାଯାତ୍ରାରେ ପି.ସି.ସି. କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ,ଏ.ଆଇ.ସି.ସି. ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜି. ରୁଦ୍ର ରାଜୁ, ଅନ୍ୟତମ ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ପି.ସି.ସି. ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଭାରୀ କୁମାରୀ ଅନୁଲେଖା ବୁଷା, ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ଆଦିତ୍ୟ ଚୌଧୁରୀ, ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ମନୋରଞ୍ଜନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ବିଶ୍ୱଭୂଷଣ ଦାସ, ପଦ୍ମାକର ଗୁରୁ, ମମତା କୁଣ୍ଡୁ, ମଧୁସ୍ମିତା ସେଠୀ, ପ୍ରତିମା ମଲ୍ଲିକ, ଜ୍ଞାନଦେବ ବେଉରା, ରଜନୀ ମହାନ୍ତି, ଅମୀୟ ପାଣ୍ଡବ, ମନୋଜ ମହାପାତ୍ର, ବିସ୍ମୟ ମହାପାତ୍ର, ଦୀପକ ମହାପାତ୍ରଙ୍କ ସମେତ ସୁବ୍ରତ ମହାପାତ୍ର, ଅଶୋକ ଦାସ, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ନାସିର ଅହମ୍ମଦ, ଦେବ ପ୍ରସାଦ, କିଶାନ ପଣ୍ଡା, ନିହାର ବେହେରା, ଦେବୀ ପ୍ରସାଦ ବାହାଲିଆ, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ମଲିଆ, ପ୍ରସନ୍ନ ନାୟକ, ଶମ୍ଭୁ ପାଣିଗ୍ରାହୀ, ସୁଶାନ୍ତ ତ୍ରିପାଠୀ, ରଞ୍ଜିତ ପାତ୍ର, ସ୍ୱାଗତ କର, ମିହିର ଆଚାର୍ଯ୍ୟ, ସୌମେନ୍ଦ୍ର ମହାନ୍ତି, ଏଚ୍‌.କେ. ଅବତାବ ଅଲ୍ଲି, ଅନୱାର ଖାନ୍‌, ଇନ୍ଦ୍ରଜିତ୍‌ ପରିଡ଼ା, ଶ୍ରୀଧର ବଳିୟାର ସିଂହ, କୈଳାସ ସାହୁ, ସାଗର ପରିଡ଼ା, ବ୍ରହ୍ମାନନ୍ଦ ସାହୁ, ମନୋରଞ୍ଜନ ବଟୁ, ଅନୀଲ ଦାସ, ସୁବ୍ରତ ସେନାପତି, ସୁବ୍ରଜ୍ୟୋତି ଲେଙ୍କା ପ୍ରମୁ୍‌ଖ ବହୁ ମହିଳା, ଛାତ୍ର, ଯୁବ କଂଗ୍ରେସ ଏବଂ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ କାର୍ଯର୍୍ୟକ୍ରମକୁ ସଫଳ କରିଥିଲେ ।

hiranchal ad1
Leave A Reply

Your email address will not be published.

six + three =