ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପରିସ୍ଥିତି ଏଯାଏଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କାଟେଗୋରୀ ‘ଏ’ରେ ୨୦ ଓ କାଟେଗୋରୀ ‘ବି’ରେ ୧୦ ଜିଲ୍ଲା ପୂର୍ବପରି ରହିବ ବୋଲି ଶ୍ରୀ ମହାପାତ୍ର ଘୋଷଣା କରିଛନ୍ତି ।କାଟେଗୋରୀ ‘ଏ’ରେ ଏଣିକି ରାତି ୮ଟା ଯାଏଁ ଦୋକାନ ଖୋଲିବ । କାଟେଗୋରୀ ‘ଏ’ରେ ସପ୍ତାହକ ୭ ଦିନ ଦୋକାନ ବଜାର ଖୋଲାରହିବ । ସେହିପରି କାଟେଗୋରୀ ‘ବି’ରେ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ । କାଟେଗୋରୀ ‘ବି’ରେ ସପ୍ତାହରେ ୫ ଦିନ ଦୋକାନ ବଜାର ଖୋଲିବ । ତେବେ କାଟେଗୋରୀ ‘ବି’ରେ ନାଇଟ କର୍ଫୁ୍ୟ ବଳବତ୍ତର ରହିବ । କାଟେଗୋରୀ ‘ବି’ରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ ।
ସେହିଭଳି ସାରା ରାଜ୍ୟରେ ବସ ଚଳାଚଳ ହେବ ବୋଲି ମୁଖ୍ୟ ଶାସନ ସଚିବ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ବସ୍ରେ ସିଟ୍ ଅନୁଯାୟୀ ଯାତ୍ରୀ ବସିପାରିବେ । ସମସ୍ତେ ମାସ୍କ ପରିଧାନା କରିବା ସହ କୋଭିଡ ନିୟମ ମାନିବାକୁ ପଡିବ ବୋଲି ସେ କହିଛନ୍ତି । ସେହିପରି ଅଟୋ, ରିକ୍ସା ମଧ୍ୟ ଚଳାଚଳ କରିବ । ଡ୍ରାଇଭର ଛଡା ଓ ଦୁଇଜଣ ଯାତ୍ରୀଙ୍କ ନେଇ ଟ୍ୟାକ୍ସି, ଅଟୋରିକ୍ସା ଚାଳିପାରିବ ବୋଲି ସେ କହିଛନ୍ତି । କେବଳ ପୁରୀ ଜିଲ୍ଲାକୁ ୨୫ ତାରିଖ ଯାଏଁ ବସ ଚଳାଚଳ ବନ୍ଦ ରହିବ । ସେହିପରି ସାରା ରାଜ୍ୟରେ ସେଲୁନ, ସ୍ପା, ଜିମ୍ ଆଦି ଖୋଲିବା ସହ ଫିଲ୍ମ, ସିରିଏଲ ସୁଟିଂ ପାଇଁ ଅନୁମତି ମିଳିଛି । ପାର୍କ, ସପିଂ ମଲ ଏବଂ ସିନେମା ହଲ ବନ୍ଦ ରହିବ । ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ ରହିବ । ହୋଟେଲ୍ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲକୁ ଅନୁମତି । ବିବାହ, ଶ୍ରାଦ୍ଧ କାର୍ଯ୍ୟ ପାଇଁ ପୂର୍ବରୁ ଯେଉଁ କଟକଣା ରହିଥିଲା ତାହା ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।