ସମ୍ବଲପୁର,୨୨/୭- ରାଜ୍ୟରେ ଅହେତୁକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ୍ କାଟ ତଥା କ୍ରମାଗତ ଭାବେ ବଢିରହୁଥିବା ଲୋ ଭୋଲଟେଜ ସମସ୍ୟାର ପ୍ରତିବାଦ ସ୍ୱରୂପର ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଭାରତୀୟ ଜନତା ଯୁବା ମୋର୍ଚ୍ଚା ତରଫରୁ ଗତକାଲି ରାତିରେ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁରରେ ବିଜୁଳି ଉତ୍ପାଦନ କରାଯାଉଛି, ତଥାପି ଏଠାକାର ଲୋକେ ବେଶୀ ଉତ୍ପୀଡିତ ହେଉଛନ୍ତି । ମହାମାରୀ କରୋନା ସମୟରେ ଯେହେତୁ ସବୁ ପାଠପଢ଼ା ଅନଲାଇନରେ ହେଉଛି । ଏହା ସହିତ ଅନେକ କର୍ମଚାରୀ ଘରେ ଥାଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ନିଜେ ସରକାର ଘରେ ରୁହ ସୁସ୍ଥ ରୁହ ବୋଲି କହୁଛନ୍ତି ଅଥଚ ବିଜୁଳି ଆଉ ଲୋକଙ୍କ ମଧ୍ୟରେ ଲୁଚକାଳି ଖେଳ ଚାଲିଛି । ମହାମାରୀ ଯୋଗୁଁ ଘର ପରିବାରର ଆର୍ଥିକ ସମସ୍ୟା ବହୁଳ ମାତ୍ରାରେ ବୃଦ୍ଧିପାଇଛି । ଏଣୁ ବିଜୁଳି ଯୋଗାଣ ଅବିଛିନ୍ନ ଭାବରେ ସବୁବେଳେ କରାଯାଉ ବୋଲି ଦାବି କରାଯାଇଛି । ଅତି ସଂକ୍ଷିପ୍ତରେ କହିବାକୁ ଗଲେ ବିଜୁଳି ମାନବ ସମାଜର ଏକ ଅଭିନ୍ନ ଅଙ୍ଗ ବୋଲି ସାବ୍ୟସ୍ତ ହୋଇ ସାରିଲାଣି । ଏଣୁ ବିଜୁଳି ସମସ୍ୟାର ତୁରନ୍ତ ସମାଧାନ ବାହାର କରିବାକୁ ଦାବି କରାଯାଇଛି । ଭାଜପା ଯୁବମୋର୍ଚ୍ଚା ସମ୍ବଲପୁର ଜିଲ୍ଲା ସଭାପତି ଅଶ୍ୱିନୀ ମାଝୀଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଲକ୍ଷ୍ମୀ ଟକିଜ ଛକରୁ ବାହାରି ଗୋଲବଜାର ଛକ ପର୍ଯ୍ୟନ୍ତ ଯାଇଥିଲା । ମୁଖ୍ୟଅତିଥି ଭାବେ ଭାଜପା ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ପଦାଧିକାରୀ, ଜିଲ୍ଲା ପଦାଧିକାରୀଙ୍କ ସମେତ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ ।