ସମ୍ବଲପୁର;ବର୍ତ୍ତମାନ କରୋନା ସଂକ୍ରମିତ ରୋଗୀଙ୍କ ଉଚ୍ଚ ଚିକିତ୍ସା ପାଇଁ ଏକମୋ (ଇସିଏମଓ) ମେସିନ ଅନେକାଂଶରେ ଦରକାର ପଡୁଛି । ବିଗତ ଦିନରେ କିଛି ରୋଗୀଙ୍କୁ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନେଲାପରେ ଏହାର ଆବଶ୍ୟକତା ଅନୁଭବ କରି ରାଜ୍ୟ ସରକାର ଏହା ଭୁବନେଶ୍ୱରରେ ଉପଲବ୍ଧ କରାଇବା ସହ ବର୍ତ୍ତମାନ କଟକ ବଡ଼ ମେଡିକାଲରେ ଏପରି ନ’ଟି ମେସିନ ଲଗାଇଛନ୍ତି । ସମଗ୍ର ପଶ୍ଚିମ ଓଡ଼ିଶାରେ ଏସୁବିଧା ଉପଲବ୍ଧ ନ ଥିବାରୁ ସ୍ଥାନୀୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ବା ଭିମସାରରେ ଏହି ସୁବିଧା ଯୋଗାଇଦେବା ପାଇଁ ଦାବି କରାଯାଇଛି କିନ୍ତୁ ଏଥିପ୍ରତି ପ୍ରତି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଏଣୁ ସ୍ଥାନୀୟ ଯୁବ ଭାଜପା ନେତା ଅବିନାଶ ତିହାଡି କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଅନୁରୋଧ କରିଛନ୍ତି । ଏହି ବଡ଼ ମେଡିକାଲ ଉପରେ ପଶ୍ଚିମ ଓଡ଼ିଶାର ଦଶଟି ଜିଲ୍ଲା ସହିତ ପଡୋଶୀ ରାଜ୍ୟ ଛତିଶଗଡ ଓ ଝାରଖଣ୍ଡ ର ସଂଲଗ୍ନ ସୀମାନ୍ତ ଅଞ୍ଚଳର ଗରିବଲୋକେ ଚିକିତ୍ସା ପାଇଁ ନିର୍ଭର କରନ୍ତି । ଶ୍ରୀ ତିହାଡିଙ୍କ କହିବା ଅନୁସାରେ ପଶ୍ଚିମାଞ୍ଚଳ ପ୍ରତି ଆମ ରାଜ୍ୟ ସରକାର ସାବତପୁଅ ପରି ବ୍ୟବହାର କରୁଛନ୍ତି, ଏଣୁ ଆମକୁ କେନ୍ଦ୍ର ସରକାରଙ୍କ ଠାରେ ଏହି ଦାବି ଉପସ୍ଥାପନ କରିବାକୁ ପଡୁଛି ।