ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି କଳାହାଣ୍ଡି କପ୍ ତଥା ଓସିଏର ଆନ୍ତଃଜିଲ୍ଲା କ୍ରିକେଟ ଟୁଣ୍ଣାମେଣ୍ଟ । ଭୁବନେଶ୍ୱର ରେଳୱେ ପଡିଆଠାରେ କଳାହାଣ୍ଡି କପର ଏକ ଲିଗ୍ ମ୍ୟାଚରେ ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲା ଦଳ ମୁହାଁମୁହିଁ ହୋଇଥିଲେ । ଏଥିରେ ବୌଦ୍ଧ ଦଳ କଳାହାଣ୍ଡି ଦଳକୁ ୨ ଉଇକେଟରେ ହରାଇଛି । ବୌଦ୍ଧ ଦଳ ଟସ୍ ଜିଣି ପ୍ରଥମେ କଳାହାଣ୍ଡି ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ।କଳାହାଣ୍ଡି ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୯.୨ ବଲରେ ମାତ୍ର ୮୨ ରନ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଜେ ପାତ୍ର ୨୪ ରନ କରିଥିବା ବେଳେ ଏ ମହନ୍ତି ୨୦ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟନ ଦୁଇଅଙ୍କ ଛୁଇଁପରିନଥିଲେ । ବୋଲିଂରେ ବୌଦ୍ଧ ଦଳ ପକ୍ଷରୁ ଜେ ଦଳାଇ, ଅନରାଗ, ଏସ୍ ବେହେରା, ଆର୍ ବାରିକ ପ୍ରତ୍ୟେକ ଦୁଇଟି ଲେଖାଏଁ ଉଇକେଟ ନେଇଥିବା ବେଳେ ଆର୍ ଯାଦବଙ୍କୁ ଗୋଟିଏ ଉଇକେଟ ମିଳିଥିଲା । ବୌଦ୍ଧ ଦଳ ୮୩ ରନର ଟାର୍ଗେଟକୁ ପିଛା କରି ୧୭.୧ ବଲରେ ୮ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଦେବାଶିଷ ସର୍ବାଧିକ ୨୨ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜେ ଦଲାଇ ୬, ଅନୁରାଗ ୯, ତାପସ ୭ ରନ କରିଥିଲେ । ବୋଲିଂରେ କଳାହାଣ୍ଡି ଦଳ ପକ୍ଷରୁ ଏ ମହାନ୍ତି ସର୍ବାଧିକ ୪ ଉଇକେଟ ନେଇଥିଲେ । ମ୍ୟାଚରେ ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ଏସ୍ ବେହେରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ ।