ନୂଆଦିଲ୍ଲୀ; ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆଜି ଖେଳାଯିବ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲା । ପ୍ରଥମ ୩ଟି ମ୍ୟାଚ ଭଳି ଏହି ମ୍ୟାଚରେ ମଧ୍ୟ ବ୍ୟାଟରଙ୍କ ରାଜୁତି ଜାରି ରହିବ ଓ ବୋଲରଙ୍କୁ ନିର୍ମମ ପ୍ରହାରର ସାମ୍ନା କରିବାକୁ ହେବ । ୫ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ୱେଷ୍ଟଇଣ୍ଡିଜ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଭାରତ ଆଉ ତ୍ରୁଟି ନ କରି ସିରିଜ କବ୍ଜା କରିବାକୁ ପ୍ରୟାସ କରିବ । ଇନ୍ଦୋରରେ (ତୃତୀୟ ଟି-ଟ୍ୱେଣ୍ଟି) ଭାରତ ଅଳ୍ପକେ ପରାଜୟରୁ ବର୍ତ୍ତିଥିଲେ ହେଁ ୱେଷ୍ଟ ଇଣ୍ଡିଜକୁ ଅଟକାଇବା ବଡ଼ ସଫଳତା ରହିଥିଲା ।
ଭାରତୀୟ ପିଚ୍ରେ ଦ୍ୱିତୀୟରେ ବୋଲିଂ କରି ବିପକ୍ଷ ଦଳକୁ ଅଟକାଇବା ସହଜ କଥା ନୁହେଁ । ତଥାପି ଏହି ବିଜୟ ମନୋବଳ ବୃଦ୍ଧି କରିବା ପାଇଁ ଯଥେଷ୍ଟ ନୁହେଁ । ବୋଲିଂରେ ଉନ୍ନତି ଆଣିବା ନିହାତି ଜରୁରି । ଆଜି ଭାରତ ଏଥିପ୍ରତି ଗରୁତ୍ୱ ଦେବ । ଆଜି ଅଭିଷେକ ଶର୍ମା ଓ ରଷ୍ଟନ ଚେଜଙ୍କ ମଧ୍ୟରେ ଏକ ଲଢ଼େଇ ହେବା ଆଶା କରାଯାଉଛି । ଚେଜଙ୍କ ବିପକ୍ଷରେ ଅଭିଷେକ ୧୩ଟି ବଲ୍ର ସାମ୍ନା କରି ୨୫ ରନ ସଂଗ୍ରହ କରିଛନ୍ତି ଓ ୨ ଥର ଆଉଟ୍ ହୋଇଛନ୍ତି । ୱେଷ୍ଟ ଇଣ୍ଡିଜ ଅଲ୍ରାଉଣ୍ଡର ରୋମାରିଓ ସେଫର୍ଡ ରାଞ୍ଚିରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଆହତ ହୋଇଥିବାରୁ ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ମ୍ୟାଚ ଖେଳି ନଥିଲେ । ଆଜି ଟସ୍ ପୂର୍ବରୁ ସେ ଫିଟ୍ନେସ୍ ପରୀକ୍ଷା ଦେବେ । ତାଙ୍କ ଉପସ୍ଥିତି ଦଳର ଶକ୍ତି ଦ୍ୱିଗୁଣା କରିବ । ଇନ୍ଦୋରରେ ଭାରତ ୩ଜଣ ପେସ୍ ବୋଲର ନେଇ ଖେଳିଥିଲା ଓ ମ୍ୟାଚ ଜିତିଥିଲା । ଏହି ରଣନୀତିକୁ ଦଳ ଦୋହରାଇବା ଏକ ପ୍ରକାର ନିଶ୍ଚିତ । ଯାହା ଫଳରେ କୁଲଦୀପ ଯାଦବ ଏକାଦଶକୁ ଫେରି ପାରିବେ ନାହିଁ ।
ଅକ୍ଷର ପଟେଲ ଓ ନମନ ଧିର ସ୍ପିନ୍ ବିଭାଗ ସମ୍ଭାଳିବେ । ଉପଲ୍ ଷ୍ଟାଡ଼ିୟମ୍ର ପିଚ ବିଶାଳ ସ୍କୋର ପାଇଁ ପରିଚିତ । ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍ ଦଳର ଏହା ଘରୋଇ ଗ୍ରାଉଣ୍ଡ । ଗତ କିଛି ସିଜନ ଧରି ସନରାଇଜର୍ସ ଏହି ଗ୍ରାଉଣ୍ଡରେ ନିୟମିତ ଭାବେ ବିଶାଳ ସ୍କୋର ସଂଗ୍ରହ କରି ଆସୁଛି । ଆସନ୍ତାକାଲି ମଧ୍ୟ ବଡ଼ ସ୍କୋର ହେବ । ଟସ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ରାତ୍ରିରେ କାକର ଯୋଗୁଁ ବ୍ୟାଟିଂ ସହଜ ହେବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବେ ।
