ଗଜପତି,୨୭/୭- ଦେଶରେ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦିଆଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । କରୋନା ଭଳି ମହାମାରୀ ବେଳେ ଭାରତ ଭଳି ଏକ ଜନମଙ୍ଗଳ ରାଷ୍ଟ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିଜର ଦାୟିତ୍ୱକୁ ସଂପୂର୍ଣ୍ଣ ଭାବେ ଭୁଲିଯାଇଛନ୍ତି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ସମୟରେ ତୈଳଜାତ ପଦାର୍ଥର ମୂଲ୍ୟରେ ଆନ୍ତର୍ଜାତୀୟ ବଜାର ଆଧାରରେ ପଇସାଟିଏ ବୃଦ୍ଧିି ପାଇଲେ ଉଭୟ ବିଜେଡି-ବିଜେପି ତୁମ୍ବିତୋଫାନ କରୁଥିବା ବେଳେ ଏବେ ଚୁପ କାହିଁକି ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଶ୍ନ କରିଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ସରକାର ସାଧାରଣ ଲୋକମାନଙ୍କ ସ୍ୱାର୍ଥ ପ୍ରତି ଆଖି ବୁଜି ବର୍ଦ୍ଧିତ ତୈଳଦର ପ୍ରତ୍ୟାହାର କରିନାହାଁନ୍ତି ସେପର୍ଯ୍ୟନ୍ତ ଯୁବ କଂଗ୍ରେସ ଚୁପ ବସିବ ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଆଗାମୀ ଦିନରେ ବ୍ଲକ ଓ ପଚାଂୟତ ସ୍ତରରେ ବି ଆନ୍ଦୋଳନ କରାଯିବାକୁ ସ୍ଥିର ହୋଇଛି । ମଙ୍ଗଳବାର ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରବଳ ବର୍ଷା ସତ୍ତେ୍ୱ ଜିଲ୍ଲାର ସବୁବ୍ଲକରୁ ଯୁବକଂଗ୍ରେସ କର୍ମୀମାନେ ବେଶ ଉତ୍ସାହର ସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗକୁ ଏହା କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ରାଜା ପାତ୍ର, ବିବେକାନନ୍ଦ ଶବର, ପ୍ରବିଣ ଲିମା, ମୁନ୍ନା ମହାରଣା,ଅବସେଲମ ରଇତ, ଦେବାଶିଷ ମଲ୍ଲିକ, ସୁଶିଳ ମାଝୀ, ଅବଦୁଲ ଆଜିମ, ସୁମିତ ମିଶାଲ, ମୋହନ କୁମାର ମିଶାଲ ପ୍ରମୁଖ ସାମଲି ହୋଇଥିଲେ ।