ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରୋଜଗାର ଯୋଗାଉଛି ଗୁଡ ସମରିଟାନ, ପଣସ ଚିପ୍ସ କରି ସ୍ୱାବଲମ୍ବୀ ହେଉଛନ୍ତି

0 99

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପ୍ରଚୁର ପରିମାଣରେ ପଣସ ଗଛ ରହିଛି ହେଲେ ପଣସ ସମୟରେ ଏହାର ବାହାରକୁ ରପ୍ତାନି କରାଯାଇ ପାରୁନଥିବାରୁ ଏହାର କୌଣସି ମୂଲ୍ୟ ମିଳିପାରୁ ନାହିଁ । ଗଛଗୁଡ଼ିକରେ ଅନର୍ଗଳ ଭାବରେ ଫଳିଥିଲେ ସୁଧା ବାହାରକୁ ପଠେଇ ପାରୁ ନଥିବାରୁ ପଣସ ଗଛ ଥିବା ଲୋକମାନେ ଦୁଃଖରେ ଭାଙ୍ଗି ପଡ଼ୁଥିଲେ । ଏହି ସମୟରେ ଗୁଡ଼ ସମରିଟାନ, କନ୍ଧମାଳ ତରଫରୁ ଆଦିବାସୀ ତଥା ଅନ୍ୟ ପାରମ୍ପରିକ ବନବାସୀ ମହିଳାମାନଙ୍କୁ ପଣସ ଚିପ୍ସ୍‌ ତିଆରି ତାଲିମ୍‌ ଦେବା ସହିତ ଆର୍ଥିକ ସୁଦୃଢ କରିବା ପାଇଁ କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ବ୍ଲକର ରଟିଙ୍ଗିଆ, କତିଙ୍ଗିଆ ଓ ଗ୍ରେସିଙ୍ଗିଆ, କ. ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି, ବାଲିଗୁଡ଼ା ବ୍ଲକର ବାରକମା, ରାଇକିଆ ବ୍ଲକର ମଣ୍ଡାକିଆ ଓ ତୁମୁଡ଼ିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ତାଲିମ୍‌ ପ୍ରଦାନ କରାଯାଇଛି । କନ୍ଧମାଳ ଜିଲ୍ଲାରେ ପ୍ରଚୁର ପରିମାଣରେ ପଣସ ଗଛରେ ପ୍ରତି ବର୍ଷ ପଣସ ନଷ୍ଟ ହେଉଥିବା ଦେଖିବା ହେତୁ ଏହାର ସଦୁପଯୋଗ ପାଇଁ ଗୁଡ ସମରିଟାନ ପକ୍ଷରୁ ଏହି ପ୍ରୟାସ କରାଯାଇଛି । ବର୍ତ୍ତମାନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପଣସ ଚିପ୍ସ୍‌ ତିଆରି କରି ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ଆର୍ଥିକ ସୁଦୃଢ କରିଥିବା କହିଛନ୍ତି । ଏହି ଚିପ୍ସ୍‌ କିଲୋ ପ୍ରତି ଟ. ୨୦୦.୦୦ ଙ୍କାରେ ଗୁଡ୍‌ ସମରିଟାନ ମହିଳାମାନଙ୍କଠାରୁ କିଣି ବଜାରିକରଣ କରି ମହିଳାମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ଦେଉଥିବା ପ୍ରକାଶ କରିଛନ୍ତି । ଏହି ତାଲିମରେ ୨୫୦ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତାଲିମ ନେଇ ଉପକୃତ ସୋଇପାରିଛନ୍ତି । ମହିଳାମାନଙ୍କୁ ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ ଓ ଘୁ. ଉଦୟଗିରି ବ୍ଲକର ଶିଶୁ ସୁରକ୍ଷା ଅଧିକାରୀ ସାବିତ୍ରୀ ମଲ୍ଲିକଙ୍କ ପକ୍ଷରୁ କତିଙ୍ଗିଆ ପଞ୍ଚାୟତର ସିପାଏଜୁ ଗ୍ରାମର ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ସହାୟତା ପ୍ରଦାନ କରିଛନ୍ତି । ଏହାଫଳରେ ଅନେକ ମହିଳା ମାନେ ଏହାକୁ ସଫଳ ରୂପାୟନ କରିବା ପାଇଁ ଶପଥ ନେଇଛନ୍ତି । ସେହିପରି ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତର ବୁଡାମାହାଠାରେ ଦିଆଯାଇଥିବା ତାଲିମ ଶିବିରରେ ରାଇକିଆ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରବିଣ କୁମାର ବାଣୁଆ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହିଭଳି ପଣସ ଚିପ୍ସ ଏକ ମିଶନ ମୁଡ଼ରେ ପ୍ରସ୍ତୁତ କରାଯିବ ଯାହା ପୂର୍ବରୁ ଯେଉଁ ସବୁ ପଣସ ଗୁଡିକ ନଷ୍ଟ ହେଉଥିଲା ତାହା ଆଉ ନଷ୍ଟ ହେବ ନାହିଁ । ନିଜେ ଦି ପଇସା ରୋଜଗାର କରିବା ସହିତ ଅନ୍ୟମାନେ ମଧ୍ୟ ଦି ପଇସା ପାଇବେ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମତ ପ୍ରକାଶ କରିଛନ୍ତି । ଗୁଡ୍‌ ସମରିଟାନର ଅମୁଲ୍ୟ ପାଣିଗ୍ରାହୀ, ଶିବରାମ ଦିଗାଲ ଓ ରବିନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ମହିଳାମାନଙ୍କୁ ଏକ ନୂଆରୂପରେ ଆର୍ଥିକ ସୂଦୃଢ଼ କରିବାର ପଥ ଫିଟିଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗୁଡ୍‌ ସମରିଟାନର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three × 3 =