ରାୟଗଡ/୧୨/୮: ଜଣେ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ରାୟଗଡ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ୨୧ବର୍ଷିୟ ବଳରାମ ଯୋଗୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ ଟାଉନ ଥାନା ଅନ୍ତଗ୍ର୍ତ ଗାନ୍ଧୀନଗର ଅଂଚଳର ଚତୁର୍ଥ ଲେନରେ । ଏ ନେଇ ମିିଳିଥିବା ପୋଲିସ ସୂଚନା ପ୍ରକାରେ,ଅଭିଯୁକ୍ତ ବଳରାମ ଯୋଗୀର ଦେଶୀ ମଦଭାଟିକୁ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାର ବାପା ନିୟମିତ ଭାବେ ମଦ୍ୟପାନ କରିବାକୁ ଯାଉଥିଲେ । ତେବେ ଟଙ୍କା ଅଭାବରୁ କିଛି ଦିନ ଧରି ପୀଡିତାଙ୍କ ବାପା ବକେୟା କରି ମଦ୍ୟପାନ କରୁଥିଲେ । ବକେୟା ଟଙ୍କା ବଢି ବଢି ଯିବାରୁ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ନ ଦେବା ଫଳରେ ଅଭିଯୁକ୍ତ ବଳରାମ ଓ ପୀଡିତାଙ୍କ ବାପାଙ୍କ ମଧ୍ୟରେ ବଚସା ହୋଇଥିଲା । ଏପରିକି ଗାନ୍ଧୀନଗର ଅଂଚଳରେ ରହୁଥିବା ପୀଡିତାଙ୍କ ଘରକୁ ଆସି ବାପାକୁ ଟଙ୍କା ମାଗୁଥିଲା ଅଭିଯୁକ୍ତ ବଳରାମ । ତେବେ ଗତ ଦୁଇଦିନ ତଳେ ମଙ୍ଗଳବାର ଦିନ ଅଭିଯୁକ୍ତ ବଳରାମ ଟଙ୍କା ମାଗିବାକୁ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଘରେ ଏକାକି ଥିବା ୭ବର୍ଷର ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଅଭିଯୁକ୍ତର ବ୍ୟବହାରରେ ଡରିଯାଇ ଝିଅଟି ଚିତ୍କାର କରିବାରୁ ବାହାରେ ଥିବା ପଡୋଶୀ ଓ ପୀଡିତାର ମାଁ ଘରକୁ ଦୌଡି ଆସିଥିବା ବେଳେ ଅଭିଯୁକ୍ତ ବଳରାମ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏ ନେଇ ବୁଧବାର ଦିନ ପୀଡିତାଙ୍କ ମା ରାୟଗଡ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ ନମ୍ବର ୧୬୨/୨୦୨୧ ପ୍ରକାରେ ମାମଲା ରୁଜୁ କରାଯାଇଥିଲା । ଘଟଣାକୁ ଗୁରୁତର ସହ ନେଇ ଦକ୍ଷିଣା ପଶ୍ଚିମାଂଚଳ ପୋଲିସ ଡିଆଇଜି ରାଜେଶ ପଣ୍ଡିତଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଏସଡିପିଓ ଦିବ୍ୟଜ୍ୟୋତି ଦାସ ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ତଦନ୍ତ ଆରମ୍ଭ କରିଥିଲେ । ଫେରାର ଅଭିଯୁକ୍ତ ବଳରାମକୁ ଗିରଫ କରିବା ପାଇଁ ଏସଡିପିଓ ଶ୍ରୀ ଦାସଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ରାୟଗଡ ଜିଲ୍ଳା ଗୁଣପୁର ଥାନା ଅଂଚଳରୁ ଅଭିଯୁକ୍ତ ବଳରାମକୁ ପୋଲିସ ଗିରଫ କରିବାରେ ସଫଳ ହେବା ପରେ ଆଜି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଅଭିଯୁକ୍ତ ଓ ପୀଡିତାଙ୍କ ଡାକ୍ତର ମାଇନା କରାଯିବା ପରେ ଅପରାହ୍ନରେ ଅଭିଯୁକ୍ତ ବଳରାମକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି ।