ଭାରତରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ । ଏଗୁଡିକ ମଧ୍ୟରୁ ଜନ୍ମାଷ୍ଟମୀର ଅନେକ ମହତ୍ୱ ରହିଛି । ଏହି ଦିନଟି ଅତ୍ୟନ୍ତ ମାଙ୍ଗଳିକ ଦିନ ହୋଇଥାଏ । ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ଖୁବ ଧୁମଧାମରେ ପାଳନ କରାଯାଏ । ଏହିଦିନ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମ ହୋଇଥିଲେ । ଏହାକୁ କୃଷ୍ଣ ଜନ୍ମାଷ୍ଟମୀ ବା ଗୋକୁଳାଷ୍ଟମୀ ମଧ୍ୟ କୁହାଯାଇଥାଏ । ପୌରାଣିକ କଥା ଅନୁସାରେ ଭଗବାନ କୃଷ୍ଣ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ମାନବ ଅବତାର । ଭଗବାନ କୃଷ୍ଣ ମଥୁରା ରାଜ୍ୟରେ ମାତା ଦେବକୀ ଓ ପିତା ବାସୁଦେବଙ୍କ କୋଳରେ ଜନ୍ମ ହୋଇଥିଲେ । ସେତେବେଳେ ମଥୁରାର ରାଜା ପ୍ରବଳ ପ୍ରତାପି କଂସ ଥିଲେ ଓ ଦେବକୀ ତାଙ୍କ ଭଉଣୀ ଥିଲେ । ମଥୁରା ରାଜା କଂସଙ୍କୁ ଶୂନ୍ୟବାଣୀ ହୋଇଥିଲା ଯେ ଦେବକୀ ଗର୍ଭର ଅଷ୍ଟମ ସନ୍ତାନ ଦ୍ୱାରା ତାଙ୍କର ବିନାଶ ହେବ । ନୃଶଂସ କଂସ ଦେବକୀ ଗର୍ଭରୁ ଜନ୍ମ ହୋଇଥିବା ୬ଟି ସନ୍ତାନକୁ ମାରି ସାରିଲା ପରେ ସପ୍ତମ ଗର୍ଭସ୍ଥ ଶିଶୁ ବଳରାମ ରହସ୍ୟମୟ ଭାବରେ ରୋହିଣୀ ଗର୍ଭକୁ ଚାଲି ଯାଇଥିଲେ । ଏହା ପରେ କୃଷ୍ଣ ଜନ୍ମ ହୋଇଥିଲେ । ସେହିଦିନ ସମସ୍ତଙ୍କୁ ନିଦ ଘାରିଥିବା ସମୟରେ ପିତା ବାସୁଦେବ ଲୁଚି ଲୁଚି ଭଗବାନ କୃଷ୍ଣଙ୍କୁ ନେଇ ବୃନ୍ଦାବନରେ ନନ୍ଦ ରାଜା ଓ ରାଣୀ ଯଶୋଦାଙ୍କ ପାଖରେ ଛାଡି, ସେହିଦିନ ନନ୍ଦ ଓ ଯଶୋଦାଙ୍କ କୋଳରେ ଜନ୍ମ ହୋଇଥିବା ଶିଶୁ କନ୍ୟାକୁ ଆଣି ଚାଲିଆସିଥିଲେ ଓ ଏହି କନ୍ୟାକୁ କଂସ ମାରିବା ସମୟରେ ସେ ଦେବୀ ଦୁର୍ଗାଙ୍କ ରୂପ ଧରି ତା’ର ମୃତୁ୍ୟ ବିଷୟରେ କହିଥିଲେ ଓ ଶେଷରେ ଭଗବାନ କୃଷ୍ଣଙ୍କ ହାତରେ ତାଙ୍କ ମାମୁଁ କଂସଙ୍କ ଅନ୍ତ ହୋଇଥିଲା । ଏହି ଦିନକୁ ଜନ୍ମାଷ୍ଟମୀରେ ମନେପକାଯାଏ ଓ ଅଧର୍ମ ଉପରେ ଧର୍ମର ବିଜୟ ଭାବରେ କୃଷ୍ଣଙ୍କ ଜନ୍ମକୁ ପାଳନ କରାଯାଏ ।