କେନାଲ୍ ଥାଇ ମଧ୍ୟ ତଳମୁଣ୍ଡରେ ନାହିଁ ପାଣି , ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ

0 112

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ବ୍ଲକର ଅଧିକାଂଶ ଗାଁ ହେଉଛି ଜଳସେଚିତ । ଜାଲ ଭଳି ଏହି ବ୍ଲକର ବିଭିନ୍ନ ଅଞ୍ଚଳରେ ଛନ୍ଦି ହୋଇଛି ବରଗଡ ମୁଖ୍ୟ କେନାଲ । ବିନିକା ଏବଂ ଡୁଙ୍ଗୁରୀପାଲି ବ୍ଲକକୁ ସୁବର୍ଣ୍ଣପୁର ଜିଲ୍ଲାର ଭାତହାଣ୍ଡି ମଧ୍ୟ କୁହାଯାଏ । ତେବେ ପ୍ରତିବର୍ଷ ଦୁର୍ଦ୍ଦଶା ଭୋଗନ୍ତି କେନାଲ ତଳମୁଣ୍ଡର ଚାଷୀ । ଲଘୁଚାପ ବର୍ଷା ହୋଇନଥିଲେ ପାଣି ସଂକଟ ଏହି ଅଞ୍ଚଳରେ ଏବେଠାରୁ ଆରମ୍ଭ ହୋଇଥାନ୍ତା । ଅକ୍ଟୋବର ମାସର ଅଧା ବେଳକୁ ଏହି କେନାଲର ଟେଲ୍ ଅଞ୍ଚଳ ଯଥା ଫୁଲମୁଠି, ଶଙ୍କରା, ଫୁଲମୁଠି, ସାହାଜବାହାଲ, ମହାଦେବପାଲି, ସେଲେଡି, ସକମା, ସଁସାମୁରା, କର୍ତ୍ତଙ୍ଗ, ଘୋଡାଧାର, ପଣ୍ଡକିଟାଲ, ଅରିଗାଁ, ମଣିଗାଁ, ଗଣେଶପୁର. ସିନ୍ଦୁରପୁର ଆଦି ଗାଁରେ ପାଣି ସମସ୍ୟା ଦେଖା ଦେଇଥାଏ । ତାପରେ ଇନ୍ଦ୍ରଦେବତାଙ୍କ ଭରସାରେ ରୁହନ୍ତି ତଳମୁଣ୍ଡର ଚାଷୀ । ପ୍ରାୟ ପ୍ରତିବର୍ଷ ଲାଗି ରହିଥାଏ ଏହି ସମସ୍ୟା । ଗତ ଲଘୁଚାପ ବର୍ଷାରେ ହୀରାକୁଦ ଜଳଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ପାଣି ଥିଲେ ମଧ୍ୟ କେନାଲ୍‌ରେ ରୋଟେସନ୍ ପଦ୍ଧତିରେ ପାଣି ଦିଆଯାଉଥିବା ଅଭିଯୋଗ କରିଛନ୍ତି ଚାଷୀମାନେ । ବିନିକା ଭ୍ରମରପାଲି, ସିଆଳି ମହଦା, ବାବୁପାଲି ପଲସାପାଲି କେନାଲରେ ରୋଟେସନ୍ ପଦ୍ଧତିରେ ପାଣି ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି ।ଏବେଠାରୁ ଯଦି ରୋଟେସନ୍‌ରେ ପାଣି ଦିଆଯିବ ଅକ୍ଟୋବର ମାସ ଅଧା ବେଳକୁ କେମିତି କରିବେ ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି । ଭୀମଟିକ୍ରା, ଅନ୍ଧାରିବାଞ୍ଜି, ବଡକର୍ଲେ ଏବଂ ରାମପୁର ଡିଷ୍ଟ୍ରିବ୍ୟୁଟାରୀରୁ ବନିକା ତହସିଲର ବିଭିନ୍ନ ଗାଁକୁ କେନାଲ ପାଣି ଆସିଥାଏ । ଗତ ଲଘୁଚାପ ବର୍ଷା ଯୋଗୁଁ ଧାନ ବଞ୍ଚାଇବାରେ ଚାଷୀ ସକ୍ଷମ ହୋଇଛନ୍ତି । ତେବେ କେନାଲ ପାଣିକୁ ଭରସା କରି ଚାଷ କରିପାରୁ ନାହାନ୍ତି ତଳମୁଣ୍ଡର ଚାଷୀ । ଗତ ଲଘୁଚାପ ବର୍ଷା ହୋଇ ନଥିଲେ ଚାଷ ବଞ୍ଚାଇବାରେ ମଧ୍ୟ ସମସ୍ୟା ହୋଇ ଯାଇଥାନ୍ତା । ଅନ୍ୟପକ୍ଷରେ ଲଗାଣ ବର୍ଷା ହେଲେ ମଧ୍ୟ ତଳମୁଣ୍ଡର ଚାଷୀଙ୍କୁ ସମସ୍ୟା । କେନାଲରେ ଅନାବଶ୍ୟକ ପ୍ରଚୁର ପାଣି ଆସି ବହୁ ଚାଷ ଜମିରେ କ୍ଷୟକ୍ଷତି କରିଥାଏ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ତେବେ ପ୍ରତିବର୍ଷ ତଳ ମୁଣ୍ଡର ଚାଷୀ ଭୋଗୁଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ସମସ୍ୟା ଦେଖା ଦେବା ଆଗରୁ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ସେମାନଙ୍କ ମୁହଁରୁ ରୋଟେସନ୍ ପଦ୍ଧତିରେ ପାଣି ନଦେଇ ନିୟମିତ ଭାବରେ ମୁଖ୍ୟ ଏବଂ ଏହାର ଅଧୀନସ୍ଥ କେନାଲରେ ପାଣି ଛାଡିଲେ ତଳମୁଣ୍ଡର ଚାଷୀଙ୍କ କୌଣସି ଅସୁବିଧା ହେବ ନାହିଁ । ସରକାର ଚାଷୀଙ୍କ ଉନ୍ନତି ପାଇଁ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ରବୀନ୍ଦ୍ର କୁମାର ହୋତା, ବିନିକା କଂଗ୍ରେସ କମିଟି ସଭାପତି କହିଛନ୍ତି। ସେହିପରି ପୋତି ହୋଇଯାଇଥିବା କେନାଲ ଓ କରନାଳି ଗୁଡିର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଗଲେ ତଳମୁଣ୍ଡରେ ପାଣି ସମସ୍ୟା ଦୂର ହୋଇ ଚାଷୀମାନେ କେନାଲର ପ୍ରକୃତ ଲାଭ ପାଇ ପାରନ୍ତେ ବୋଲି ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି ସେଲେଡିର ଚାଷୀ ରାମଜୀ ପେରା । କେନାଲରେ ଥିବା ବେଆଇନ ନଳ ଗୁଡିକୁ ପ୍ରଥମେ ଉଚ୍ଛେଦ କରାଯାଉ ଯଦ୍ୱାରା କି ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ଆସିପାରିବ ତଥା ଏକ ମେଗା ଜଳସେଚନ ପ୍ରକଳ୍ପ ତିଆରି କରି କେନାଲରେ ଏହାର ପାଣି ପକାଇଲେ ଆଉ ଦଳମୁଣ୍ଡରେ ଜଳ ସମସ୍ୟା ରହିବ ନାହିଁ ବୋଲି ଦେବାଶିଷ ଦାସଙ୍କ ସମେତ ଅନେକ ଚାଷୀ ପ୍ରକାଶ କରିଛନ୍ତି। ଚାଷପାଇଁ ପାଣି ଏବେ ଠାରୁ କେନାଲରେ ରୋଟେସନ୍ ହିସାବରେ ଆରମ୍ଭ କରିବା କଥା ନୁହେଁ କାହିଁକି ରୋଟେସନ୍ କରାଯାଉଛି ତାହା ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ବିନିକା ତହସିଲଦାର ଅଲେଖ ଘୁଟା। ତେବେ ବର୍ଷା ଅଭାବରୁ କେନାଲରେ ପାଣି ସମସ୍ୟା ଦେଖା ଦେଲାଭଳି ଯଦି ସମୟ ଆସେ ତେବେ ତାକୁ ମୁକାବିଲା କରାଯିବ ବୋଲି ମଧ୍ୟ ତହସିଲଦାର ପ୍ରକାଶ କରିଛନ୍ତି।

hiranchal ad1
Leave A Reply

Your email address will not be published.

twenty − 2 =