ପୁରୀ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବ୍ରହ୍ମଗିରିର ଖଜୁରିଆ ଠାରେ ବିଶାଳ ମହିଳା ସମାବେଶରେ ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନାର ହିତାଧିକାରୀ ମାନଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି । କାର୍ଡ ବଣ୍ଟନର ଶେଷ ପର୍ଯ୍ୟାୟରଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ସ୍ବାଇଁ କହିଲେ ଯେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭିନ୍ନ ଲୋକାଭିମୁଖୀ ଓ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଯାରି ରହିଛି । ବ୍ରହ୍ମଗିରିର ବହୁବିଧ ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉନ୍ନୟନ ମୂଳକ କାର୍ଯ୍ୟଜାରି ରଖିଛନ୍ତି । ଜଳ ସେଚନ ଓ ନିଷ୍କାସନ, ବିଦ୍ୟୁତ ଭିତ୍ତିଭୂମିର ସୁଦୃଢିକରଣ, ସ୍ମାର୍ଟସ୍କୁଲ ପ୍ରତିଷ୍ଠା, ସ୍ବାସ୍ଥ୍ୟସେବା ଓ ଗମନାଗମନର ଉନ୍ନତି, ବିଜୁ ସେତୁ କଲ୍ୟାଣ ଯୋଜନା ମାଧ୍ୟମରେ ୮ଟି ନୂତନ ବ୍ରିଜ୍, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଉନ୍ନତିକରଣ, ବୈଷୟିକ ଓ ବୃତ୍ତିଗତ ଶିକ୍ଷାର ବିକାଶ ପାଇଁ ଇଞ୍ଜିନିୟରିଂ, ଆଇଟିଆଇ, ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ଭଳି ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ୩ ଲକ୍ଷ ୬୪ ହଜାର ପରିବାରକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ବିକାଶ ପ୍ରକ୍ରିୟାରେ ସାମିଲ ହୋଇ ପ୍ରଗତିର ରଥକୁ ଆହୁରି ଗତିଶୀଳ କରିବାକୁ ବ୍ରହ୍ମଗିରିର ସମସ୍ତ ଗୁରୁଜନ, ଚାଷୀ, ମହିଳା, ଯୁବକ ତଥା ସବୁ ବର୍ଗକୁ ଶ୍ରୀ ସ୍ବାଇଁ ଆହ୍ବାନ ଦେଇଛନ୍ତି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏହି କାର୍ଡ ବଣ୍ଟନରେ ଯୋଗଦେଇ କହିଲେ ଯେ ବ୍ରହ୍ମଗିରି ନିର୍ବାଚନ ମଣ୍ତଳୀର ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବା ପ୍ରକ୍ରିୟା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବ୍ରହ୍ମଗିରି ମାଟିରୁ ଆରମ୍ଭ କରିଛନ୍ତି । ବ୍ରହ୍ମଗିରିବାସୀଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଅତୁଟ ଆସ୍ଥା ପ୍ରକଟ କରିଥିବା ଶ୍ରୀ ଦାସବର୍ମା କହିଥିଲେ । ଏଥିସହ ବ୍ରହ୍ମଗିରିରେ ଗ୍ରାମ୍ୟ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଜଳ ସେଚନ ଓ ଜଳ ନିଷ୍କାସନ ପାଇଁ ସରକାରଙ୍କ ପ୍ରତିବଦ୍ଧତା ବ୍ରହ୍ମଗିରିବାସୀଙ୍କ ପ୍ରତି ଅତୁଟ ଥିବା ଶ୍ରୀ ଦାସ ବର୍ମା କହିଥିଲେ । ପିଇବା ପାଣି ଯୋଗାଣ କ୍ଷେତ୍ରରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ ୩୫୦ କୋଟି ଟଙ୍କା ମୂଲ୍ୟ ବ୍ଯୟରେ ବୃହତ ପାନୀୟ ଜଳ ଯୋଗାଣ ଆରମ୍ଭ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ଦାସବର୍ମା କୃତଜ୍ଞତା ଜ୍ଞାପନ କରିଛନ୍ତି । ଫନି ସହାୟତାରୁ ବଞ୍ଚିତ ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେ ନିବେଦନ କରିଥିଲେ । ଗତ ଚାରିଦିନ ଧରି ବ୍ରହ୍ମଗିରି, କୃଷ୍ଣପ୍ରସାଦ ବ୍ଲକ ଓ ପୁରୀ ସଦରର ୧୧ଟି ପଞ୍ଚାୟତରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନରେ ସାମିଲ ହୋଇଥିବା ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ, ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ ଓ ମୋ ସ୍କୁଲ ଅଭିଯାନର ଉପଦେଷ୍ଟା ଆକାଶ ଦାସ ନାୟକ ପ୍ରମୁଖଙ୍କୁ ଶ୍ରୀ ଦାସବର୍ମା ଧନ୍ୟବାଦ ଜଣାଇଛନ୍ତି । ଏଥିସହ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳ, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସୌଦାମିନୀ ମାନସିଂ, ପୁରୀ ସଦର ବ୍ଲକ ଅଧ୍ୟକ୍ଷା ସରୋଜିନୀ ବେହେରା, ସମସ୍ତ ଜିଲ୍ଲା ପରିଷଦ ସଭ୍ୟାସଭ୍ୟ, ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧି ପ୍ରମୁଖଙ୍କୁ ଶ୍ରୀ ଦାସ ବର୍ମା ଧନ୍ୟବାଦ ଜଣେଇଥିଲେ ।