ରାୟଗଡା: ଏକ ପିକଅପ୍ ଭ୍ୟାନ ଧକ୍କାରେ ଚାଲି ଯାଇଛି ଜଣେ ତିନି ବର୍ଷର ଶିଶୁପୁତ୍ରର ଜୀବନ । ଘଟଣାଟି ଘଟିଛି ରାୟଗଡା ସହରର ଜଗନ୍ନାଥ ସାହିରେ । ମୃତ ତିନିବର୍ଷର ଶିଶୁର ନାମ ବଜରଙ୍ଗୀ ବେହେରା ବୋଲି ଜଣାପଡିଛି । ରାୟଗଡା ଥାନା ପୋଲିସ ଘଟଣାସ୍ଥଳରେ ପଂହଚି ଦୁର୍ଘଟଣା ଘଟାଇଥିବା ପିକ୍ ଅପ୍ ଭ୍ୟାନକୁ ଥାନାରେ ଆଣି ରଖିଥିବା ବେଳେ ଡ୍ରାଇଭର ଅଟକ ଥିବା ଜଣାପଡିଛି । ଏ ନେଇ ମିଳିଥିବା ସୂଚନା ପ୍ରକାରେ ଆଜି ଅପରାହ୍ନ ୫ଟା ସମୟରେ ଜଗନ୍ନାଥ ସାହି ମୁଖ୍ୟ ରାସ୍ତା କଡରେ ଉକ୍ତ ସାହିର ସନ୍ତୋଷ ଓ ରାଣୀ ବେହେରାଙ୍କ ୩ବର୍ଷର ଶିଶୁପୁତ୍ର ବଜରଙ୍ଗୀ ଥିବା ସମୟରେ ଏକ ପିକଅପ୍ ଭ୍ୟାନ୍ (ଓଡି୧୮ଜେ-୩୦୩୯)ପଛପଟୁ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ବଜରଙ୍ଗୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକେ ଭର୍ତି କରାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ୩ବର୍ଷର ଶିଶୁପୁତ୍ରର ଜୀବନ ଚାଲିଯିବାକୁ ନେଇ ବାପା ସନ୍ତୋଷ ଓ ମା ରାଣୀ ଭାଙ୍ଗି ପଡିଥିବା ବେଳେ ପରିବାର ବର୍ଗ ଓ ସାହିବାସିନ୍ଦାଙ୍କୁ ନେଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଅପରପକ୍ଷେ ସାହି ବାସିନ୍ଦା କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଥିବା ଜଣାପଡିଛି ।