ଅସହାୟଙ୍କ ସାହାରା ତ୍ରିପାଠୀ ପରିବାର : ଅନ୍ୟମାନଙ୍କ ପାଇଁ ମାନବିକତାର ଦୃଷ୍ଟାନ୍ତ ସାଜିଲେ

0 2,093

ବୌଦ୍ଧ : ସମଗ୍ର ବିଶ୍ୱରେ ଭୟଙ୍କର ଆତଙ୍କ ଖେଳାଇଥିବା ପ୍ରାଣନାଶୀ କରୋନା ଭାଇରସ ବିରୋଧରେ ମିଳିତ ସଂଗ୍ରାମ ଜାରି ରହିଥିଲେ ମଧ୍ୟ ଏହାକୁ ପ୍ରତିହତ କରାଯାଇପାରିନାହିଁ । କରୋନା ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ଦେଶଗୁଡିକ ଭଳି ଭାରତରେ ମଧ୍ୟ ଲକଡାଉନ୍ ଜାରି କରାଯାଇଛି । ଲକଡାଉନ ଯୋଗୁଁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି ଏବଂ ଜନସାଧାରଣଙ୍କ ସ୍ୱାଭାବିକ ଜୀବନପ୍ରକ୍ରିୟା ବ୍ୟାହତ ହୋଇଛି । ସବୁଠାରୁ ବେଶୀ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହୋଇଛନ୍ତି ଅସହାୟ,ଗରିବ, ଶ୍ରମିକ ଓ ମଜୁରିଆ । ତେବେ ଖୁସିର ବିଷୟ ଯେ, ଏଭଳି ଏକ ଦୁର୍ଦ୍ଦିନ ତଥା ବିପର୍ଯ୍ୟୟ ସମୟରେ ଓଡିଶାରେ ବହୁ ବ୍ୟକ୍ତିବିଶେଷ, ପରିବାର ଓ ସଂଗଠନମାନଙ୍କ ମଧ୍ୟରେ ମାନବିକତା ଓ ମଣିଷମଣିଆ ଦେଖିବାକୁ ମିଳିଛି । ସେମାନେ ଅସହାୟ ଓ ଗରିବ ଲୋକମାନଙ୍କୁ ସାହାଯ୍ୟ ଓ ସହାୟତାର ହାତ ବଢାଇଛନ୍ତି । ତେବେ ବ୍ୟକ୍ତିବିଶେଷ ତଥା କୌଣସି ଏକ ପରିବାର ମାନବିକତାର ଯେଉଁ ଦୃଷ୍ଟାନ୍ତ ଦେଖାଇଛନ୍ତି ତାହା ବାସ୍ତବିକ ପ୍ରଶଂସାର ହକଦାର ।

ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବାଉଁଶୁଣୀ ଅଂଚଳର ତ୍ରିପାଠୀ ପରିବାର ସେହିଭଳି ଏକ ଦୃଷ୍ଟାନ୍ତ । ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ଜଣାଶୁଣା ଶିକ୍ଷାବିତ୍ ଗଣ୍ଡେଶ୍ୱର ତ୍ରିପାଠୀଙ୍କ ପରିବାର ଲକଡାଉନ ଜନିତ ଗୁରୁତର ସମସ୍ୟା ସ୍ଥିତିରେ ଅସହାୟ ଲୋକମାନଙ୍କୁ ଯେଭଳି ଅଯାଚିତ ଓ ନିସ୍ୱାର୍ଥପର ଭାବେ ସାହାଯ୍ୟ ଓ ସହାୟତା ଯୋଗାଇ ଦେଉଛନ୍ତି,ତାହା ସମସ୍ତଙ୍କୁ ଚକିତ କରିଛି । ଗଣ୍ଡେଶ୍ୱରଙ୍କ ବଡପୁଅ ଡାକ୍ତର ରାଜେଶ ତ୍ରିପାଠୀ, ବୋହୂ ସସ୍ମିତା ଦାଶ ତ୍ରିପାଠୀ ଏବଂ ସାନପୁଅ ଇଂ. ରାକେଶ ତ୍ରିପାଠୀ ଓ ଉଷାରାଣୀ ତ୍ରିପାଠୀ, ଝିଅ ରୀନାରାଣୀ ତ୍ରିପାଠୀ ସମସ୍ତେ ମିଳିତ ତଥା ଉତ୍ସର୍ଗୀକୃତ ମନୋଭାବ ନେଇ ଅସୁବିଧାରେ ଥିବା ଲୋକମାନଙ୍କୁ ରାସନ ସାମଗ୍ରୀ, ପାଣି, ପାନୀୟ ପଦାର୍ଥ, ମାସ୍କ ଯୋଗାଇ ଦେଉଛନ୍ତି । ଗଣ୍ଡେଶ୍ୱରଙ୍କ ବଡପୁଅ ରାଜେଶ ତ୍ରିପାଠୀ ମାଗଣାରେ ଚିକିତ୍ସା ସେବା ମଧ୍ୟ ପ୍ରଦାନ କରୁଛନ୍ତି । ସାନପୁଅ ରାକେଶ ବାଉଁଶୁଣୀରେ ମାସ୍କ ବଣ୍ଟନ କରିଛନ୍ତି । ସେମାନେ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କର ଭଲମନ୍ଦ ବୁଝିବା ସହ ସାଧ୍ୟମତେ ସାହାଯ୍ୟ ଯୋଗାଇଦେବା ଜାରି ରଖିଛନ୍ତି । ଆଉ ଏକ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଯେ, ଡାକ୍ତର ରାଜେଶ ଓ ତାଙ୍କର ଧର୍ମପତ୍ନୀ ସସ୍ମିତା ଦାଶ ତ୍ରିପାଠୀ ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ନିଜ ଗାଁରେ ମାଗଣାରେ ଚିକିତ୍ସା କରିବା ସହ ଔଷଧ ଯୋଗାଇ ଦିଅନ୍ତି ।

hiring


ଇଂ. ରାକେଶ ତ୍ରିପାଠୀଙ୍କ ନେତୃତ୍ୱରେ ଆଜି ବୈଦ୍ୟନାଥପୁର ଗ୍ରାମର ୫୦ଜଣ ଅସହାୟଙ୍କୁ ସେମାନେ ସହାୟତା ପ୍ରଦାନ କରିଛନ୍ତି । ରାସନ ସାମଗ୍ରୀ ମଧ୍ୟରେ ଚାଉଳ ୫କେଜି, ଡାଲି ଅଧାକେଜି, ଆଳୁ ୧କେଜି, ପିଆଜ ୧କେଜି ଓ ଖଣ୍ଡେ ସାବୁନ ରହିଛି । ଏହି ବଣ୍ଟନ କାର୍ଯ୍ୟରେ ସେମାନଙ୍କୁ ମନୋଜ ନାଏକ, ଘାସିରାମ ବିଶି, ସୌମିତ୍ରୀ କରଡିଆ ପ୍ରମୁଖ ସହଯୋଗ କରିଥିଲେ । ଏଥିସହିତ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ସାବୁନରେ ହାତ ଧୋଇବା ଓ ମାସ୍କ ପିନ୍ଧିବାକୁ ସେମାନେ ସଚେତନ କରିଥିଲେ ।

ସୂଚନାଯୋଗ୍ୟ ଯେ ରାକେଶ ତ୍ରିପାଠୀଙ୍କ ବଡଭାଇ ଡାକ୍ତର ରାଜେଶ ତ୍ରିପାଠୀ ଓ ଭାଉଜ ସସ୍ମିତାଦାଶ ତ୍ରିପାଠୀ ଏହି କରୋନା ତଥା ଲକଡାଉନ ସମୟରେ ଅନେକ ଅନାଥାଶ୍ରମରେ ସାହାଯ୍ୟ ଓ ସହଯୋଗ କରିଆସୁଛନ୍ତି ଏବଂ ଶହଶହ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ସହ ଔଷଧ ମଧ୍ୟ ବଣ୍ଟନ କରୁଛନ୍ତି । ସେମାନଙ୍କର ଏହି ମହତ ଓ ଉତ୍ସର୍ଗୀକୃତ ସେବା କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି । ବାଉଁଶୁଣୀର ତ୍ରିପାଠୀ ପରିବାରର ଏଭଳି ନିସ୍ୱାର୍ଥପର ଓ ମାନବୀୟ ସେବାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ବାଉଁଶୁଣୀରେ ସେମାନେ ଏଭଳି କାର୍ଯ୍ୟ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

hiranchal ad1
Leave A Reply

Your email address will not be published.

2 × one =