ପିସିବି ଉପରେ ବର୍ଷିଲେ ଆସିଫ୍‌

0 91

କରାଚୀ : ପାକିସ୍ତାନ କ୍ରିକେଟ୍ ବୋର୍ଡ଼ର ନୀତି ନେଇ ଦ୍ରୁତ ବୋଲର ମହମ୍ମଦ ଆସିଫ୍ ବୋର୍ଡ଼ ଉପରେ ପ୍ରବଳ ବର୍ଷିଛନ୍ତି । ନିଜ ପ୍ରତିକ୍ରିୟାରେ ଆସିଫ୍ କହିଛନ୍ତି ଯେ, ପ୍ରତ୍ୟେକ ଖେଳାଳି କିଛିନା କିଛି ଭୁଲ୍ କରିଥାନ୍ତି ଓ କରୁଛନ୍ତି ମଧ୍ୟ । ମୁଁ ମଧ୍ୟ ଭୁଲ୍ କରିଛି । ତେବେ ଭୁଲ୍ କରିଥିବା ଅନ୍ୟ ଖେଳାଳିମାନଙ୍କୁ ପରବର୍ତ୍ତୀ ସମୟରେ ଦ୍ୱିତୀୟ ସୁଯୋଗ ଦିଆଯାଉଥିବା ବେଳେ ମୋତେ କିନ୍ତୁ ଦିଆଯାଇ ନାହିଁ । ମୁଁ ସ୍ପଟ୍ ଫିକ୍ସିଂରେ ଅଭିଯୁକ୍ତ ହେବା ପୂର୍ବରୁ ଏବଂ ପରେ ମଧ୍ୟ ପାକିସ୍ତାନର ବହୁ କ୍ରିକେଟର ଫିକ୍ସିଂ କାର୍ଯ୍ୟକଳାପରେ ଲିପ୍ତ ରହିଥିଲେ । କିନ୍ତୁ ପରେ ସେମାନଙ୍କୁ ଖେଳିବା ପାଇଁ ସୁଯୋଗ ଦିଆଯାଇଥିବା ବେଳେ ମୋତେ କିନ୍ତୁ ଏପର୍ଯ୍ୟନ୍ତ ସୁଯୋଗ ମିଳିନାହିଁ । ମୋ ପ୍ରତି ଏଭଳି କାହିଁକି ଅନ୍ୟାୟ କରାଯାଉଛି ମୁଁ ବୁଝିପାରୁ ନାହିଁ । ଏଭଳି କେତେକ ଖେଳାଳି ଏବେବି ଖେଳି ଚାଲିଛନ୍ତି, ଯେଉଁମାନେ ପୂର୍ବରୁ ସ୍ପଟ୍ କିମ୍ବା ମ୍ୟାଚ୍ ଫିକ୍ସିଂରେ ଅଭିଯୁକ୍ତ ହୋଇଥିଲେ । ତେଣୁ ଅନ୍ୟମାନଙ୍କ ଭଳି ମୋତେ ମଧ୍ୟ ସୁଯୋଗ ଦିଆଯିବାର ଆବଶ୍ୟକତା ରହିଛି । କ୍ରିକେଟ୍ ବୋର୍ଡ଼ର ଏହି ନୀତି ଖେଳାଳିଙ୍କୁ ନିରୁତ୍ସାହିତ କରୁଛି ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୧୦ ମସିହାରେ ଇଂଲଣ୍ଡରେ ଣୁର୍ଣ୍ଣାମେଣ୍ଟ ଚାଲିଥିଲା ବେଳେ ଆସିଫ୍ ସ୍ପଟ୍ ଫିକ୍ସିଂରେ ଜଡ଼ିତ ରହି ଧରାପଡ଼ିଥିଲେ । ସେ ଜାଣିଶୁଣି ପ୍ରଚୁର ପଇସା ଲୋଭରେ ନୋ ବଲ୍ ପକାଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥିଲା । ଏଭଳି ବେନିୟମ କାର୍ଯ୍ୟକଳାପରେ ମହମ୍ମଦ ଆମିର ଓ ସଲମାନ୍ ବଟ୍ଟ ମଧ୍ୟ ଅଭିଯୁକ୍ତ ହୋଇ ଦଣ୍ଡିତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

fourteen + 13 =