ସଂକ୍ରମଣ ବଢ଼ୁଥିବା ବେଳେ କେନ୍ଦ୍ରର ଅଜବ ନିଷ୍ପତ୍ତି: ବିଦେଶରୁ ଆସିବେ ୧୫ ହଜାର ଭାରତୀୟ

0 66

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣର ପ୍ରକୋପ ଉଗ୍ରରୂପ ନେଉଥିବା ବେଳେ କେନ୍ଦ୍ର ସରକାର ବିଦେଶରେ ଥିବା ଭାରତୀୟମାନଙ୍କୁ ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି । ୬୪ଟି ବିମାନ ଯୋଗେ ବିଦେଶରୁ ୧୪,୮୦୦ ଭାରତୀୟଙ୍କୁ ଫେରାଇ ଅଣାଯିବ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ କେତେକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ଏହା ସମସ୍ୟାକୁ ଆହୁରି ବଢ଼ାଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ତେବେ ସରକାର କହିଛନ୍ତି ଯେ, ଏହି ଭାରତୀୟମାନଙ୍କୁ ସଂପୃକ୍ତ ଦେଶରେ ଟେଷ୍ଟ କରାଯାଇ ଅଣାଯିବ । ଭାରତରେ ପହଞ୍ଚିବା ପରେ ମଧ୍ୟ ଟେଷ୍ଟ ହେବ । ତେଣୁ ଦୁଃଶ୍ଚିନ୍ତାର କୌଣସି କାରଣ ନାହିଁ । ଏହି ୧୪,୮୦୦ ଭାରତୀୟ ଫେରିବା ପାଇଁ ନିର୍ଦ୍ଦିଷ୍ଟ ପ୍ଲାଟଫର୍ମରେ ପଞ୍ଜିକରଣ କରିଛନ୍ତି । ମାଳଦ୍ୱୀପ ଓ ପଶ୍ଚିମ ଏସିଆ ଦେଶରେ ଫଶିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ ତିନୋଟି ଜାହାଜ ପଠାଯିବ । ସେମାନଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଯେଉଁମାନଙ୍କଠାରେ କୌଣସି କରୋନା ଲକ୍ଷଣ ନଥିବ କେବଳ ସେମାନଙ୍କୁ ହିଁ ଅଣାଯିବ । ଭାରତରୁ ବିମାନଗୁଡ଼ିକ ଆମେରିକା, ଫିଲିପାଇନ୍ସ, ସିଙ୍ଗାପୁର, ବାଂଲାଦେଶ, ୟୁଏଇ, ବ୍ରିଟେନ୍‌, ସାଉଦି ଆରବ, କତ୍ତାର, ସିଙ୍ଗାପୁର, ଓମାନ୍‌, ବାହାରିନ୍ ଓ କୁଏତକୁ ଯିବ । ପ୍ରଥମ ଦିନରେ ୧୦ଟି ବିମାନରେ ୨୩ଶହ ଏବଂ ଦ୍ୱିତୀୟ ଦିନରେ ୨୫୫୦ ଭାରତୀୟ ଦେଶର ବିଭିନ୍ନ ବିମାନବନ୍ଦରରେ ଆସି ପହଞ୍ଚିବେ ।

hiranchal ad1
Leave A Reply

Your email address will not be published.

sixteen − 6 =