ଢେଙ୍କାନାଳ : କରୋନା ପ୍ରଭାବରେ ଦେଶରେ ଲକଡାଉନ ବଢ଼ିବାରେ ଲାଗିଛି । ଫଳରେ ଅନ୍ୟକ୍ଷେତ୍ର ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାହତ ହୋଇଛି । ଏହି ପ୍ରତିକୂଳ ପରିସ୍ଥିତିରେ ଜ୍ଞାନର ଆଦାନପ୍ରଦାନକୁ ଚାଲୁ ରଖିବା ପାଇଁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟଗୁଡି଼କ ଅନଲାଇନ ଶିକ୍ଷାଦାନ ପଦ୍ଧତିକୁ ଆପଣାଉଛନ୍ତି । ହେଲେ ଅନଲାଇନ ଶିକ୍ଷାଦାନ ଅନେକଙ୍କ ପାଇଁ ନୂଆ ହୋଇଥିବାରୁ ପାଠପଢ଼ା ସମୟରେ ବହୁ ପରିଚାଳନା ଗତ ସମସ୍ୟା ଦେଖାଯାଉଛି । ଏହାକୁ ଆଖିରେ ରଖି ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଏକ ମାନକ ସଞ୍ଚାଳନ ପଦ୍ଧତି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓ ର ଏସଓପି) ପ୍ରକାଶ ପାଇଛି । ମଙ୍ଗଳବାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ଏହି ଏସଓପିର ଇ- ଉନ୍ମୋଚନ କରିଛନ୍ତି । ଇଂରାଜୀ ଭାଷା ସମେତ ୪ଟି ଭାରତୀୟ ଭାଷା ହିନ୍ଦୀ, ଓଡି଼ଆ, ବଙ୍ଗଳା ଓ ତେଲୁଗୁରେ ଏହା ପ୍ରକାଶିତ ହୋଇଛି । ଏହି ଅବସରରେ ଡ. ଚାଟାର୍ଜୀ କହିଥିଲେ, ଲକଡାଉନ ସମୟରେ ସବୁ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରେ ପାଠପଢ଼ା ବନ୍ଦ ରଖାଯାଇଛି । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଏବେ ପ୍ରାୟ ଗୃହବନ୍ଦୀ । ଏଭଳି ସମୟରେ ପାଠପଢ଼ା ଚାଲୁ ରଖିବା ପାଇଁ ପ୍ରଯୁକ୍ତିବିଦ୍ୟା ଏକ ମାଧ୍ୟମ ହୋଇଛି । ଏହା ଶ୍ରେଣୀ ଗୃହର ବିକଳ୍ପ ହୋଇପାରିବ ନାହିଁ । ମାତ୍ର ଆଜିର ପରିସ୍ଥିତିରେ ପାଠପଢ଼ା ପାଇଁ ଅନଲାଇନ ଶିକ୍ଷାଦାନ ଏକ ଉତ୍ତମ ମାଧ୍ୟମ । ହେଲେ ଅନଲାଇନରେ ପାଠ ପଢ଼ାଯିବା ସମୟରେ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବୈଷୟିକ ଓ ଅଣବୈଷୟିକ ସ୍ତରରେ ଅସୁବିଧା ହେଉଛି । ଏହାର ସମାଧାନ ପାଇଁ ଅନଲାଇନ ପାଠପଢ଼ା ବେଳେ କ’ଣ କରିବେ, କ’ଣ କରିବେ ନାହିଁ- ସେ ଦିଗରେ ଏସଓପିରେ ସବିଶେଷ ଉଲ୍ଲେଖ କରାଯାଇଛି । ଏହାକୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଅନୁସରଣ କଲେ ଅନଲାଇନ ଶିକ୍ଷାଦାନ ଫଳପ୍ରଦ ହୋଇପାରିବ । କେବଳ ପାଠପଢ଼ା ନୁହଁ, ଏବେ ବିଭିନ୍ନ ସମ୍ମିଳନୀ ମଧ୍ୟ ଅନଲାଇନରେ ଆୟୋଜିତ ହେଉଛି । ଏସଓପି ଏ ଦିଗରେ ମଧ୍ୟ ସହାୟକ ହେବ ।ଓଡି଼ଆ ଭାଷାରେ ଏସଓପି ଲେଖିଥିବା ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର କହିଥିଲେ, ସହରଠୁ ଗାଁ, ପ୍ରାଥମିକ ସ୍କୁଲଠାରୁ ବିଶ୍ୱବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ, ସମସ୍ତେ ଅନଲାଇନ ଶିକ୍ଷାଦାନ ସହ ଯୋଡ଼ି ହୋଇଛନ୍ତି । ହେଲେ ଏନେଇ ଶିକ୍ଷକ କିମ୍ବା ଛାତ୍ରଛାତ୍ରୀ କେହିବି ପ୍ରଶିକ୍ଷିତ ହୋଇନାହାନ୍ତି । ଏସଓପି ସେମାନଙ୍କୁ ପ୍ରଶିକ୍ଷିତ କରିପାରିବ । ଇଂରାଜୀ ଓ ବଙ୍ଗଳା ଭାଷାରେ ଲେଖିଥିବା ସହକାରୀ ପ୍ରଫେସର ସମ୍ବିତ ପାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଏସଓପି କିପରି ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ଶ୍ରୀ ପାଲ ସୂଚନା ଦେଇଥିଲେ । ଏସଓପିକୁ ତେଲୁଗୁ ଭାଷାରେ ଏକାଡେମିକ ଆସିଷ୍ଟାଣ୍ଟ ଦେବେନ୍ଦ୍ର ରଗୁଲାଲ ଓ ହିନ୍ଦୀ ଭାଷାରେ ଆଇଆଇଏମସିର ଛାତ୍ରୀ ପ୍ରାଚୀ ରାଠୀ ଲେଖିଛନ୍ତି । ପାଠ୍ୟକ୍ରମ ସଂଯୋଜକ ଜିତେନ୍ଦ୍ର ପତି ଏସଓପିର ଡିଜାଇନ କରିଛନ୍ତି । ଉନ୍ମୋଚନ କାର୍ଯ୍ୟକ୍ରମରେ ସେକ୍ସନ ଅଫିସର କେଦାରନାଥ ଜେନା, ଗ୍ରନ୍ଥାଗାରିକ ଶୁଭଙ୍କରି ଦାସ, ଏକାଡେମିକ ଆସିଷ୍ଟାଣ୍ଟ ପଦ୍ମଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ପୂର୍ବରୁ ଆଇଆଇଏମସି ଜାଲି ଖବର ଉପରେ ମାର୍ଗଦର୍ଶିକା ପ୍ରକାଶିତ କରିସାରିଛି । ସେହିପରି ଜାଲିଆନାବାଲାବାଗ ନେଇ ମନୋଗ୍ରାଫ ମଧ୍ୟ ଉନ୍ମୋଚିତ ହୋଇଛି । ଆଗାମୀ ଦିନରେ କରୋନା ସମୟରେ ଗଣମାଧ୍ୟମ ଏବଂ କୃଷି ସାମ୍ବାଦିକତା ଉପରେ ମନୋଗ୍ରାଫ ପ୍ରସ୍ତୁତ କରିବାକୁ ଯୋଜନା ହୋଇଥିବା ସଂସ୍ଥାନର ମୁଖ୍ୟ ପ୍ରଫେସର ଚାଟାର୍ଜୀ ସୂଚନା ଦେଇଛନ୍ତି ।