ଭୁବନେଶ୍ୱର : ଅକ୍ଷୟ ତୃତୀୟଠାରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ତେବେ ଆଜି ମଧ୍ୟ ନୃସିଂହ ଚତୁର୍ଦ୍ଦଶୀରେ ରଥ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଇତି ମଧ୍ୟରେ ଦୁଇଥର ପରିଚାଳନା କମିଟି ବସିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅପେକ୍ଷା ରଖିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରଥ ନିର୍ମାଣକୁ ଅନୁମତି ଦେଇ ରିସ୍କ ନେବାକୁ ଚାହିଁନାହାନ୍ତି । ରଥ ନିର୍ମାଣ ପ୍ରସଂଗକୁ ସେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଛାଡି ଦେଇଛନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଧର୍ମ ଭାବାବେଗ ସହିତ ଜଡିତ ଥିବାରୁ ବିଶ୍ୱ ମହାମାରୀ କରୋନା ପରିପ୍ରେକ୍ଷୀରେ ଏହା ଯଦି କୌଣସି ଅଘଟଣର ରୂପ ନେଇ ତେବେ ସରକାରଙ୍କୁ ନିନ୍ଦିତ ହେବାକୁ ପଡିବ । ଏଣୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବାକୁ ଆଗପଛ ହେଉଥିବାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ସରକାରଙ୍କ ନିକଟରେ ବିଚାରାଧୀନ ରହିଛି । କେନ୍ଦ୍ରର ସବୁଜ ସଂକେତକୁ ଅପେକ୍ଷା କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।