ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ କନ୍ଧପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୋଡାଗାଡି ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ମନ୍ଦିରର ଦଧିନଉତି ଗତକାଲି ରାତି ଘ.୧୧.୪୦ ମି.ରେ ହୋଇଥିବା ଝଡବାତ୍ୟାରେ ଉଡିଯାଇଛି । ବାତ୍ୟାର ତୀବ୍ରତା ଏତେ ଥିଲା ଯେ ମନ୍ଦିର ଚୂଡାରେ ଥିବା କଳସ, ତ୍ରିଶୁଳ ଓ ନେତ ଉଡିଯାଇଥିଲା ।
ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ଆଠମଲ୍ଲିକ ଗଡଜାତର ଏକ ପ୍ରାଚୀନ ମନ୍ଦିର ଅଟେ । ଆଠମଲ୍ଲିକ ଗଡଜାତର ରାଜା କିଶୋର ଚନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ ଏହା ନିର୍ମିତ ହୋଇଥିଲା । ଅନେକ କିମ୍ବଦନ୍ତୀ ସ୍ୱପ୍ନେଶ୍ୱରଙ୍କୁ ନେଇ ଗଢିଉଠିଛି । ତାଙ୍କର ମନ୍ଦିରର ଦଧିନଉତି ଉଡିଯିବା ଘଟଣାକୁ ଏକ ଅଶୁଭ ସଂକେତ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରୁଛନ୍ତି । ଭକ୍ତମାନଙ୍କ ମନରେ ନାନାଦି ଚର୍ଚ୍ଚା ହେବା ସହିତ ଆଶଙ୍କା ପ୍ରକାଶ ପାଉଛି ।