ବୌଦ୍ଧ : ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଚାଲିଛି । ବୌଦ୍ଧ ଜିଲ୍ଲା ଗ୍ରୀନ୍ ଜୋନରେ ଥିବାରୁ କିଛି ଦୋକାନକୁ ଛାଡି ଦେଲେ ଆଉ ସମସ୍ତ ଦୋକାନ ଖୋଲିସାରିଛି । ଲୋକେ ସାମାନ୍ୟ ଆଶ୍ୱସ୍ତି ଲାଭ କରୁଥିବା ବେଳେ କିଛି ବ୍ୟବସାୟୀମାନେ ଏହାର ସୁଯୋଗରେ ଗ୍ରାହକଙ୍କୁ ଲୁଟୁଥିବାର ଅଭିଯୋଗ ହେଉଛି । ଦରଦାମ ନିୟନ୍ତ୍ରଣ ଦାୟିତ୍ୱ ପ୍ରଶାସନର ଥିଲେ ମଧ୍ୟ ଆଜିଯାଏଁ ସେ ସଂପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରତାଲିକା ଜିଲ୍ଲା ପ୍ରଶାସନ ଦ୍ୱିତୀୟ ପର୍ଯ୍ୟୟ ଲକଡାଉନ ସମୟରେ ପ୍ରକାଶ କରିଥିଲା ମାତ୍ରା ତାହା କୌଣସି କ୍ଷେତ୍ରରେ ମଧ୍ୟ କେହି ଶୁଣୁନାହାନ୍ତି । ମୁନାଫାଖୋର ବ୍ୟବସାୟୀମାନଙ୍କ ଜିଦ୍ ଆଗରେ ପ୍ରଶାସନ ସତେ ଯେମିତି ହାର ମାନିଯାଇଛି ଭଳି ପ୍ରତୀୟମାନ ହେଉଛି ।
ଚାଉଳ, ଡାଲି ଠାରୁ ଆରମ୍ଭ କରି ଅଟା, ତେଲ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଚଢା ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ।
କରୋନା ମୁକାବିଲା ପାଇଁ ପ୍ରଶାସନ ବ୍ୟସ୍ତ ରହିବା ଉଚିତ୍ ପଦକ୍ଷେପ ମାତ୍ର ସାଧାରଣ ଖାଉଟି ଚଢାଦରରେ ସାମଗ୍ରୀ କିଣି ଯେଭଳି ଶୋଷିତ ହେଉଛି ସେ ଦିଗରେ ମଧ୍ୟ ଲଗାମ ଲଗାଇବା କର୍ତ୍ତବ୍ୟ ବୋଲି ସାଧାରଣରେ ଆଲୋଚନା ହେଉଛି । କଳାବଜାରୀକୁ ପ୍ରତିହତ କରି ସାଧାରଣ ଖାଉଟିଙ୍କ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଯତ୍ନବାନ ହେବାର ଆବଶ୍ୟକତା ରହିଛି । ସେଥିପାଇଁ ସମସ୍ତ ଦୋକାନରେ ଦରତାଲିକା ଟାଙ୍ଗିବା ପାଇଁ ପ୍ରଶାସନ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଜାରି କଲେ ଗ୍ରାହକ ଶୋଷଣରୁ ମୁକ୍ତି ପାଇବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି ।