ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ମାଓପ୍ରବଣ ବେଲଘର ଥାନା ଅଞ୍ଚଳରେ ସିଆରପିଏଫ୍ ଇ/୧୨୭ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ମାନବିକ ସିଭିକ୍ ଆକ୍ସନ୍ ଗୃହ ମନ୍ତ୍ରଣାଳୟର ତତ୍ତ୍ୱବଧାନରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏବଂ ଏସ୍ କେ ମହାନ୍ତି ପୋଲିସ୍ ଇନ୍ସପେକ୍ଟର ଜେନେରାଲ୍ ଓଡିଶା ସେକ୍ଟରର ମାର୍ଗ ଦର୍ଶନ ଅନୁସାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୨୭ ବାଟାଲିୟନ କମାଣ୍ଡାଣ୍ଟ ଆନନ୍ଦ ଝା ଏକ ରଙ୍ଗୀନ ଇଭେଣ୍ଟ ମାଧ୍ୟମରେ ମଉଲି ମୋହନ କୁମାର ସେକେଣ୍ଡ-ଇନ୍ – କମାଣ୍ଡ (ଅପ୍ସ), ଏବଂ ସିଆରପିଏଫ୍ ର ବରିଷ୍ଠ ବିଜୟ କୁମାର ଚୌବେ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆବଶ୍ୟକୀୟ ଜିନିଷକୁ ସ୍ଥାନୀୟ ଜନତାଙ୍କୁ ବଣ୍ଟନ କରିଥିଲେ । ଏହି ଅବସରରେ ବେଲଘର ସରପଞ୍ଚ ଗୋବିନ୍ଦ ମାଝିଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ସମୁଦାୟ ୨୩୩ ପରିବାର ଉପକୃତ ହୋଇଥିଲେ । କମାଣ୍ଡାଣ୍ଟ ଆନନ୍ଦ ଝା ଏହି ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ଏବଂ ମାଓବାଦୀଙ୍କ ନିଷ୍ଠୁର କାର୍ଯ୍ୟକୁ ରୋକିବା ପାଇଁ କନ୍ଧମାଳ ଜିଲ୍ଲାରେ ନିୟୋଜିତ ସିଆରପିଏଫ୍ କମ୍ପାନୀ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଏଥିସହିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରିରହିବ ବୋଲି କହିଛନ୍ତି କମାଣ୍ଡାଣ୍ଟ ଆନନ୍ଦ ଝା ।