ଦୁବାଇ: ଆଜି ପ୍ରକାଶ ପାଇଛି ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ । ଏଥିରେ ବଡ ସଫଳତା ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଦିନିକିଆ ଟିମ୍ର ଅଧିନାୟକ ମେଗ ଲାନ୍ନିଂ । ସେ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ତେବେ ଭାରତର ଦିନିକିଆ ଅଧିନାୟକ ମିତାଲି ରାଜଙ୍କଉ ନିରାଶ ହେବାକୁ ପଡ଼ିଛି । ସେ ୪ର୍ଥ ସ୍ଥାନକୁ ଖସିଛନ୍ତି । ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ଦିନିକିଆ ମହିଳା ବିଶ୍ୱକପ ଖେଳାଯାଉଛି । ପ୍ରଥମ ୫ ମ୍ୟାଚ୍ର ପ୍ରଦର୍ଶନକୁ ଆଧାର କରି ଆଇସିସି ପକ୍ଷରୁ ଦିନିକିଆ ବ୍ୟାଟର ରାଙ୍କିଙ୍ଗ ଜାରି କରାଯାଇଛି । ବିଶ୍ୱକପର ପ୍ରଥମ ମ୍ୟାଚ୍ରେ ଲାନ୍ନିଂ ୧୧୦ ବଲରେ ୮୬ ରନର ଇନିଂସ ଖେଳିଥିଲେ । ଫଳରେ ଅଷ୍ଟ୍ରେଲିଆ ମହିଳା ଟିମ ଇଂଲଣ୍ଡ ବିପକ୍ଷରେ ବିଶାଳ ୩୧୦ ରନ୍ ହାସଲ କରିପାରିଥିଲା । ଏହି ମ୍ୟାଚରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଅଷ୍ଟ୍ରେଲିଆର ରାଚେଲ ହାୟନେସ ୬ଟି ସ୍ଥାନ ଉପରକୁ ଉଠିଛନ୍ତି । ସେ ଏବେ ରାଙ୍କିଙ୍ଗର ୭ମ ସ୍ଥାନରେ ଅଛନ୍ତି । ହାୟନେସ ଇଂଲଣ୍ଡ ବିପକ୍ଷରେ ୧୩୧ ବଲରେ ୧୩୦ ରନ୍ କରିଥିଲେ । ଇଂଲଣ୍ଡର ନାଟ ସ୍କିଭର ୫ଟି ସ୍ଥାନ ଉପରକୁ ଉଠି ୬ଷ୍ଠରେ ପହଞ୍ଚି ଯାଇଛନ୍ତି । ପୂର୍ବଭଳି ଅଷ୍ଟ୍ରେଲିଆର ଆଲିସା ହିଲ୍ ୧ନଂ ସ୍ଥାନରେ ଥିବା ବେଳେ ୩ନଂରେ ଇଂଲଣ୍ଡର ଟାମ୍ମୀ ବେଉମୋଣ୍ଟ, ୫ମରେ ଅଷ୍ଟ୍ରେଲିଆର ବେଥ ମୋନୀ, ୮ନଂରେ ନ୍ୟୁଜିଲ୍ୟାଣ୍ଡର ଆମୀ ସାଟ୍ଟେରଥୱେଟ, ୯ମରେ ଦକ୍ଷିଣ ଆଫ୍ରିକାର ଲିଜେଲ ଲି ଓ ୧୦ନଂରେ ଭାରତର ସ୍ମୃତି ମନ୍ଧାନା ରହିଛନ୍ତି । ଦିନିକିଆ ମହିଳା ବିଶ୍ୱକପର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ୱେଷ୍ଟଇଣ୍ଡିଜ ହାୟେଲ ମାଥ୍ୟୁସ ଅଲରାଉଣ୍ଡର ତାଲିକାର ଟପ ୫ରେ ପ୍ରବେଶ କରିଛନ୍ତି । ସେ ଏବେ ଏହି ତାଲିକାର ୪ନଂ ସ୍ଥାନରେ ରହିଛନ୍ତି । ବ୍ୟାଟଂ ତାଲିକାର ୧୨ ନଂ ଓ ବୋଲିଂ ତାଲିକାର ୧୦ନଂ ସ୍ଥାନରେ ମାଥ୍ୟୁସଙ୍କ ନାଁ ରହିଛି । ଅଲରାଉଣ୍ଡ ତାଲିକାରେ ଅଷ୍ଟ୍ରେଲିଆର ଏଲିସା ପେରୀ ୧ନଂ ସ୍ଥାନରେ ରହିଥିବା ବେଳେ ଭାରତର ଦୀପ୍ତି ଶର୍ମା ୬ନଂ ସ୍ଥାନରେ ରହିଛନ୍ତି । ବୋଲିଂ କଥା ବିଚାରକୁ ନେଲେ ଅଷ୍ଟ୍ରେଲିଆର ଜେସ ଜୋନାସେନ ୧ନଂ ସ୍ଥାନରେ ରହିଛନ୍ତି । ଏହି ତାଲିକାର ଟପ୍ ୧୦ରେ ଏକମାତ୍ର ଭାରତୀୟ ଭାବେ ଝୁଲଣ ଗୋସ୍ୱାମୀ ଅଛନ୍ତି । ସେ ୪ନଂ ସ୍ଥାନରେ ଅଛନ୍ତି ।