ରେକର୍ଡ ପରେ ରେକଡ ସୃଷ୍ଟି କରିଚାଲିଛନ୍ତି ଝୁଲଣ,ଦିନିକିଆରେ ଏବେ ଏହି କୀର୍ତ୍ତିମାନ କଲେ ସ୍ଥାପନ

0 46

ନୂଆଦିଲ୍ଲୀ,୧୬/୩ : ବର୍ତ୍ତମାନ ଚାଲିଥିବା ଆଇସିସି ମହିଳା ବିଶ୍ୱକପ୍‌ରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି ଭାରତର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ । ପ୍ରଥମେ ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍‌ ନେଇଥିବା ପ୍ରଥମ ମହିଳା କ୍ରିକେଟର ହେବାର ଗୌରବ ଅର୍ଜନ କେଲେ, ଆଉ ଏବେ ଦିନିକିଆରେ ୨୫୦ ୱିକେଟ୍‌ କ୍ଲବ୍‌ରେ ସାମିଲ୍‌ ହୋଇଛନ୍ତି । ଆଜି ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳୁଥିବା ବେଳେ ଏହି ସଫଳତା ହାସଲ କରିଛନ୍ତି ଝୁଲଣ । ଇଲଂଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ ଟମି ବିମୋଣ୍ଟଙ୍କ ୱିକେଟ୍‌ ନେବା ପରେ ବିଶ୍ୱର ପ୍ରଥମ ବୋଲର ଭାବରେ ସେ ଦିନିକିଆରେ ହାସଲ କରିଛନ୍ତି ୨୫୦ ୱିକେଟ୍‌ । ତାଙ୍କ ପୂର୍ବରୁ ବିଶ୍ୱର କୌଣସି ମହିଳା ଖେଳାଳି ଏହି ରେକର୍ଡ କରିପାରି ନାହାଁନ୍ତି । ପୂର୍ବରୁ ଦିନିକିଆ ଫର୍ମାଟ୍‌ରେ ଝୁଲଣ ସର୍ବାଧିକ ୱିକେଟ୍‌ ନେଇ ତାଲିକାରେ ଶୀର୍ଷରେ ଥିଲେ । ହେଲେ ବୁଧବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ୨୫୦ ୱିକେଟ୍‌ କ୍ଲବ୍‌ରେ ସାମିଲ୍‌ ହୋଇଛନ୍ତି । ଦିନିକିଆ ୱିକେଟ୍‌ରେ ଅନ୍ୟ କୌଣସି ଖେଳାଳି ଏପର୍ଯ୍ୟନ୍ତ ଝୁଲଣଙ୍କ ପାଖ ମାଡ଼ି ପାରି ନାହାନ୍ତି । ଏମିତିକି କୌଣସି ମହିଳା କ୍ରିକେଟର ଦିନିକିଆରେ ଏପର୍ଯ୍ୟନ୍ତ ୨୦୦ ୱିକେଟ୍‌ ହାସଲ କରିପାରି ନାହାଁନ୍ତି । ଝୁଲଣଙ୍କ ପରେ ଦିନିକିଆରେ ସର୍ବାଧିକ ୱିକେଟ୍‌ ନେବାର ଅଷ୍ଟ୍ରେଲିଆର କ୍ୟାଥ୍‌ରିନ୍‌ ଫିଟ୍‌ଜପାଟ୍ରିକ୍‌ ଅଛନ୍ତି । ସେ ୧୦୯ ମ୍ୟାଚ୍‌ ଖେଳି ୧୮୦ଟି ୱିକେଟ୍‌ ହାସଲ କରିଛନ୍ତି । ତାଙ୍କ ପଛକୁ ୱେଷ୍ଟଇଣ୍ଡିଜ୍‌ର ଅନୀସ୍‌ ଇକ୍‌ବାଲ ୧୩୯ ମ୍ୟାଚ୍‌ରେ ୧୮୦ ୱିକେଟ୍‌ ହାସଲ କରିଛନ୍ତି । ଦିନିକିଆରେ ସର୍ବାଧିକ ୱିକେଟ୍‌ ନେଇଥିବା ମହିଳା ବୋଲରମାନେ ହେଲେ ଝୁଲଣ ଗୋସ୍ୱାମୀ(ଭାରତ- ୧୯୯ ମ୍ୟାଚ୍‌, ୨୫୦ ୱିକେଟ୍‌),କାଥୀରନ ଲୋରେନ୍‌ ପିଟ୍‌ଜପାଟ୍ରିକ୍‌(ଅଷ୍ଟ୍ରେଲିଆ – ୧୦୯ ମ୍ୟାଚ୍‌,୧୮୦ ୱିକେଟ୍‌),ଅନୀସ ମହମ୍ମଦ(ୱେଷ୍ଟଇଣ୍ଡିଜ୍‌- ୧୩୯ ମ୍ୟାଚ୍‌, ୧୮୦ ୱିକେଟ୍‌),ଶବନୀମ ଇସ୍‌ମାଲ୍‌(ଦକ୍ଷିଣ ଆଫ୍ରିକା- ୧୧୭ ମ୍ୟାଚ୍‌, ୧୬୮ ୱିକେଟ୍‌) ଓ କାଥରୀନ ହେଲେନ୍‌ ବ୍ରଣ୍ଟ(ଇଂଲଣ୍ଡ- ୧୩୫ ମ୍ୟାଚ୍‌, ୧୬୪ ୱିକେଟ୍‌) । ଏହା ପୂର୍ବରୁ ବିଶ୍ୱକପ୍‌ରେ ଶନିବାର ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଆଉ ଏକ ରେକର୍ଡ କରିଥିଲେ ଝୁଲଣ । ମ୍ୟାଚ୍‌ରେ ଅନୀଷ ମହମ୍ମହଦଙ୍କ ୱିକେଟ୍‌ ନେବା ପରେ ଝୁଲଣ ବନିଯାଇଥିଲେ ଦିିନିକିଆ ବିଶ୍ୱକପ୍‌ ଇତିହାସର ସର୍ବାଧିକ ୱିକେଟ୍‌ ଟେକର ମହିଳା ବୋଲର୍‌ । ଏଥିରେ ୱେଷ୍ଟ ଇଣ୍ଡିଜ୍‌କୁ ୧୫୫ ରନ୍‌ରେ ପରାସ୍ତ କରିଥିଲା ଭାରତ । ଦିନିକିଆ ବିଶ୍ୱକପ୍‌ରେ ଝୁଲଣ ଏପର୍ଯ୍ୟନ୍ତ ୪୧ ୱିକେଟ୍‌ ହାସଲ କରି ସର୍ବାଧିକ ୱିକେଟ ଟେକର ମହିଳା ବୋଲର ତାଲିକାରେ ଶୀର୍ଷରେ ରହିଛନ୍ତି । ଏପରି କରି ସେ ଅଷ୍ଟ୍ରେଲିଆର ଲୀନ ଫୁଲ୍‌ଷ୍ଟନ୍‌ଙ୍କ ପଛରେ ପକାଇ ଦେଇଛନ୍ତି । ଲୀନ୍‌ ଫୁଲଷ୍ଟନ ମାତ୍ର ୨୦ ମ୍ୟାଚ୍‌ ଖେଳି ୩୯ ୱିକେଟ୍‌ ହାସଲ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − 7 =