ବୌଦ୍ଧ, ୧୬/୩- ଜାତୀୟ ଟିକାକରଣ ଦିବସ ଅବସରରେ ଆଜିଠାରୁ ବୌଦ୍ଧ ଜିଲ୍ଲାରେ ୧୨ ରୁ ୧୪ ବର୍ଷର କିଶୋର କିଶୋରୀ ମାନଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଯାଇଛି । ଏଥିପାଇଁ ଜିଲ୍ଲାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୪୦୦୦ ଡୋଜ୍ କୋର୍ବେଭ୍ୟାକ୍ସ୍ ଟିକା ଆସିଅଛି । ସ୍ଥାନୀୟ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ବୌଦ୍ଧଠାରେ ଆରମ୍ଭ ହୋଇଥିବା ଏହି ଟିକାକରଣ କାର୍ଯ୍ୟକ୍ରମକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ପ୍ରଥମ ଥର ପାଇଁ ଅଫ୍ ଲାଇନ୍ ଜରିଆରେ କିଶୋର କିଶୋରୀଙ୍କୁ କୋଭାକ୍ସିନ୍ ଟିକା ଦିଆଯାଇଥିଲା । ଟିକାକରଣ ଅଭିଯାନ ସଂପର୍କରେ ଜିଲା ସ୍ୱାସ୍ଥ୍ୟବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୧୨ ରୁ ୧୪ ବର୍ଷ ମଧ୍ୟରେ ଥିବା ମୋଟ ୧୫୯୮୬ କିଶୋରକିଶୋରୀଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଅଛି । ସେଥିମଧ୍ୟରୁ ପ୍ରଥମ ଦିନ ଅପରାହ୍ନ ସୁଦ୍ଧା କେବଳ ବୌଦ୍ଧ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯାଇଥିଲା । କାହାଠାରେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖାଯାଇନଥିଲା । ମାର୍ଚ୍ଚ ୧୮ ତାରିଖରୁ ଜିଲ୍ଲାର ସମସ୍ତ ବ୍ଲକ୍ରେ ୧୨ ରୁ ୧୪ ବର୍ଷ ବୟସ୍କ କିଶୋରକିଶୋରୀଙ୍କୁ କୋର୍ବେଭ୍ୟାକ୍ସ୍ ଟିକା ଦିଆଯିବ । ସୂଚନାଯୋଗ୍ୟ ଯେ, ୧୮ ବର୍ଷରୁ ଅଧିକ ବର୍ଗରେ ଜିଲାର ୯୩.୩୭ ପ୍ରତିଶତ ବ୍ୟକ୍ତି କୋଭିସିଲ୍ଡ ଟିକାର ପ୍ରଥମ ମାତ୍ରା ନେଇ ସାରିଥିବା ବେଳେ ୮୩.୧୭ ପ୍ରତିଶତ ବ୍ୟକ୍ତିଙ୍କୁ ଦୁଇଟିଯାକ ମାତ୍ରା ଦିଆ ଯାଇଅଛି । ଜିଲାର ୨୨ଟି କେନ୍ଦ୍ରରେ କୋଭିଡ୍ ଟିକାକରଣ ଜାରି ରହିବା ସହ ଟିକା ନ ନେଇଥିବା ବ୍ୟକ୍ତିଙ୍କୁ ଆଶାକର୍ମୀଙ୍କ ଜରିଆରେ ଚିହ୍ନଟ କରି ଘରକୁ ଘର ଯାଇ ଜିଲ୍ଲାର ସ୍ୱାସ୍ଥ୍ୟକର୍ମୀମାନେ କୋଭିଡ୍ ଟିକାକରଣ କରୁଛନ୍ତି । ଟିକାକରଣ ପାଇଁ ସମସ୍ତ ବ୍ୟକ୍ତିବିଶେଷ ତୁରନ୍ତ କୋଭିଡ୍ ଟିକାର ଦୁଇଟି ମାତ୍ରା ସହ ଯୋଗ୍ୟ ବ୍ୟକ୍ତି ପ୍ରିକସନ୍ ଡୋଜ୍ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତଥା ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଏହି ଟିକାକରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ ମହାପାତ୍ର, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍, ଡିପିଏମ୍ ରୂପକ ମହାପାତ୍ର, ଜିଲ୍ଲା ପ୍ରଜନନ ଓ ଶିଶୁସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ଲାନ୍ ଇଣ୍ଡିଆର ସ୍ୱେଚ୍ଛାସେବୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।