ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ୩ଟି ପୌରାଂଚଳରେ ଆଜି ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବାବେଳେ ଲୋକେ ଖୁବ୍ ଉତ୍ସାହର ସହ ଭୋଟ ଦେଉଛନ୍ତି । ଜିଲ୍ଲା ପ୍ରଶାସନର ସୂଚନା ମତେ ମଧ୍ୟାହ୍ନ ସୁଦ୍ଧା ୩୫ ପ୍ରତିଶତ ମତଦାନ ହାର ରହିଛି । ସୁବର୍ଣ୍ଣପୁର ପୌର ପରିଷଦର ୨୧ଟି ବୁଥ୍, ତରଭା ଏନଏସିର ୧୨ଟି ବୁଥ୍ ଓ ବିନିକା ଏନଏସିର ୧୫ଟି ବୁଥ୍ ରେ ଉଭୟ କାଉନସିଲର୍ ଓ ଚେୟାରମ୍ୟାନ୍ ପ୍ରାର୍ଥୀଙ୍କ ପାଇଁ ଦୁଇଟି ଲେଖାଏଁ ଇଭିଏମ୍ ମେସିନ୍ ରେ ଭୋଟର୍ ମାନେ ନିଜ ନିଜର ମତ ସାବ୍ୟସ୍ତ କରୁଛନ୍ତି । ଆଜି ଚାଲିଥିବା ପୌର ନିର୍ବାଚନରେ ସୁବର୍ଣ୍ଣପୁର ପୌର ପରିଷଦରେ ୧୬ ହଜାର ୭୮୫ଜଣ ଭୋଟର୍, ତରଭା ଏନଏସିରେ ୬ହଜାର ୫୫୫ଜଣ ଭୋଟର୍ ଏବଂ ବିନିକା ଏନଏସିରେ ୧୨ହଜାର ୫୧୭ଜଣ ଭୋଟର୍ ନିଜ ନିଜର ମତଦାନ ସାବ୍ୟସ୍ତ କରିବେ । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିୟୁକ୍ତ ହୋଇଛନ୍ତି ।