ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ

0 142

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ବାହାରେ । ପ୍ରତିଦିନ ଶହଶହ ନୂଆ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି । ବର୍ତ୍ତମାନ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର, ୯୩୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨୧୦୯କୁ ବୃଦ୍ଧି ପାଇଛି । ସେହିପରି, ୧୯, ୩୫୭ ଜଣ ସୁସ୍ଥ ହୋଇ ଫେରିଲେଣି । ସଂକ୍ରମଣ ଭୟଙ୍କର ଭାବରେ ବଢ଼ୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବହୁଗୁଣରେ ବଢ଼ିଯାଇଛି । ଏ ଦେଶରେ ଲକ୍‌ଡାଉନ୍ ଅବଧି ପୁଣି ବଢ଼ିପାରେ ପୋଲି ଚର୍ଚ୍ଚା ହେଉଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ । ଏହି ସମୟରେ ସେ ସେମାନଙ୍କ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ତାଜା ତଥ୍ୟ ସଂଗ୍ରହ କରିବା ସହ ଲକ୍‌ଡାଉନ୍ ଅବଧି ପୁଣି ବଢ଼ାଇବା ନେଇ ସେମାନଙ୍କ ମତାମତ ଲୋଡ଼ି ପାରନ୍ତି ବୋଲି ସୂଚନା ମିଳିଛି । ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍ ମଇ ୧୭ ତାରିଖରେ ଶେଷ ହେବ । ଆସନ୍ତାକାଲି ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହି ଭିଡ଼ିଓ କନଫରେନ୍ସିଂ ବୈଠକ ବସିବ । ବୈଠକରେ ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବମାନେ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କୁ ସେମାନେ ସ୍ଥିତି ସଂପର୍କରେ ସୂଚନା ଦେବା ସହ ମୁକାବିଲା ପଦକ୍ଷେପ ସଂପର୍କରେ ମଧ୍ୟ ଅବଗତ କରାଇବେ । ଗତ ସାତ ଦିନ ଧରି ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ହଜାର ରହୁଛି । ମଇ ମାସ ମଧ୍ୟଭାଗରେ କିମ୍ବା ମଧ୍ୟଭାଗରୁ ଶେଷ ଭାଗ ମଧ୍ୟରେ ଭାରତ କରୋନାର ସୁପର ହଟ୍‌ସ୍ପଟ ହେବାର ଆଶଙ୍କା ରହିଛି । ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡ଼ା ପରେ ରାଜ୍ୟଗୁଡ଼ିକରେ ସଂକ୍ରମଣ ସ୍ଥିତି ଭୟଙ୍କର ହୋଇଉଠିଛି । ପୂର୍ବପରି ଆକ୍ରାନ୍ତ ଓ ମୃତ୍ୟୁ ତାଲିକାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି । ମହାରାଷ୍ଟ୍ରରେ ୭୭୯ ଜଣଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଘଟିସାରିଥିବା ବେଳେ ୨୦,୨୨୮ଜଣ ଆକ୍ରାନ୍ତ ହେଲେଣି । ତା\’ତଳକୁ ଦ୍ୱିତୀୟ ସ୍ଥାନରେ ଥିବା ଗୁଜୁରାଟରେ ମୃତ୍ୟୁସଂଖ୍ୟା ୪୭୨କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୭୯୬ରେ ପହଞ୍ଚିଛି । ଆଜି ଘୋଷିତ ସରକାରୀ ତଥ୍ୟ ଅନୁସାରେ ଆନ୍ଧ୍ରପ୍ରଦେଶରେ ୪୪, ଆସାମରେ ୨ ବିହାରରେ ୫, ଚଣ୍ଡିଗଡ଼ରେ ୨, ଦିଲ୍ଲୀରେ ୭୩, ହରିୟାଣାରେ ୯, ହିମାଚଳପ୍ରଦେଶରେ ୨, ଜମ୍ମୁ-କାଶ୍ମୀରରେ ୯, ଝାଡ଼ଖଣ୍ଡରେ ୩, କର୍ଣ୍ଣାଟକରେ ୩୦, କେରଳରେ ୪,ମଧ୍ୟପ୍ରଦେଶରେ ୨୧୫, ମେଘାଳୟ ୧, ଓଡ଼ିଶା ୩, ପଞ୍ଜାବରେ ୩୧, ରାଜସ୍ଥାନରେ ୧୦୬, ତାମିଲନାଡୁରେ ୪୪, ତେଲେଙ୍ଗାନାରେ ୩୦, ଉତ୍ତରାଖଣ୍ଡରେ ୧, ଉତ୍ତରପ୍ରଦେଶରେ ୭୪ ଓ ପଶ୍ଚିମବଙ୍ଗରେ ୧୭୧ଜଣ ପ୍ରାଣ ହରାଇଲେଣି ।

hiranchal ad1
Leave A Reply

Your email address will not be published.

six − two =