ରାସ୍ତା ଓ ରେଳ ଟ୍ରାକ୍‌ରେ ଚାଲିବା ମନା

0 81

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକମାନଙ୍କର ପ୍ରତ୍ୟାବର୍ତ୍ତନ ବେଳେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ରେଳ ଟ୍ରାକ୍‌ରେ ଦୁର୍ଘଟଣା ଘଟି ଶ୍ରମିକମାନେ ମୃତାହତ ହେବା ଘଟଣା ବାରମ୍ବାର ଘଟିବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ଗାଇଡଲାଇନ୍ ଅନୁସାରେ ଏଣିକି କୌଣସି ଶ୍ରମିକ ରାସ୍ତାରେ କିମ୍ବା ରେଳଟ୍ରାକରେ ଚାଲିଚାଲି ଯାଇପାରିବେ ନାହିଁ । ସରକାରଙ୍କ ଦ୍ୱାରା ହୋଇଥିବା ବ୍ୟବସ୍ଥା ଅନୁଯାୟୀ ସେମାନେ ବସ୍ କିମ୍ବା ଶ୍ରମିକ ଟ୍ରେନରେ ନିଜ ରାଜ୍ୟକୁ ଯାଇପାରିବେ । ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ;୍ୟକାରୀ କରିବା ଲାଗି ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟଗୁଡ଼ିକ ନିକଟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏ ସଂପର୍କରେ ଚିଠି ଲେଖିଛି । ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିବା ଲାଗି ସହଯୋଗ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ରାଜ୍ୟମାନଙ୍କୁ ଗୃହ ସଚିବ ଅଜୟ ଭଲ୍ଲା ଲେଖିଥିବା ଚିଠିରେ କହିଛନ୍ତି ଯେ, ଅଧିକାଂଶ ସମୟରେ ପ୍ରବାସୀ ଶ୍ରମିକମାନେ ସରକାରୀ ନିୟମ ମାନୁନାହାନ୍ତି । ସେମାନେ ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ବାରଣ ସତ୍ତ୍ୱେ ସେମାନେ କେତେବେଳେ ରେଳ ଧାରଣା ଦେଇ ଯାଉଛନ୍ତି ତ ଆଉ କେତେବେଳେ ରାସ୍ତା ଉପରେ ବିଶୃଙ୍ଖଳିତ ଭାବେ ଚାଲିଚାଲି ଯାଉଛନ୍ତି । ଯାହାଫଳରେ ବାରମ୍ବାର ଅଘଟଣ ଘଟୁଛି । ଏହାକୁ ଏଡ଼ାଇବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସରକାରମାନେ ଅଧିକ ଯତ୍ନବାନ ହୁଅନ୍ତୁ ବୋଲି ଚିଠିରେ ଉଲ୍ଳେଖ କରାଯାଇଛି । ପ୍ରକାଶଥାଉକି, ମଇ ପହିଲାରୁ ଭାରତୀୟ ରେଳବାଇ ୪୨୮ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଚଳା ଆରମ୍ଭ କରିଛି । ଏହି ବ୍ୟବସ୍ଥା ମାଧ୍ୟମରେ ୪ ଲକ୍ଷ ୫୦ ହଜାର ଶ୍ରମିକ ନିଜ ନିଜ ରାଜ୍ୟକୁ ଇତିମଧ୍ୟରେ ଫେରି ସାରିଲେଣି । ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ।

hiranchal ad1
Leave A Reply

Your email address will not be published.

19 − eleven =