ହରଭଙ୍ଗା:କରୋନା କଟକଣା ଯୋଗୁଁ ଗତ ୨୦୨୦ ଏବଂ ୨୦୨୧ ମସିହାରେ ବନ୍ଦ ଥିବା ଦଣ୍ଡ ଯାତ୍ରା ଚଳିତ ଥର ପୁଣି ଆରମ୍ଭ ହୋଇଛି । ପ୍ରତିବର୍ଷ ଚୈତ୍ର ମାସରେ ଆରମ୍ଭ ହୋଇ ଏହି ଯାତ୍ରା ବିଷୁବ ସଂକ୍ରାନ୍ତି ଦିନ ସମାପ୍ତ ହୋଇଥାଏ । ଏହି ଯାତ୍ରା ୨୧ ଦିନ କିମ୍ବା ୧୩ ଦିନ ପାଇଁ ଅନୁଷ୍ଠିତ ହୋଇଥାଏ । କେଉଁ ଅବାହମାନ କାଳରୁ ଦଣ୍ଡ ଯାତ୍ରା ବୌଦ୍ଧ ଅଞ୍ଚଳରେ ଏକ ଲୋକ ପର୍ବ ଭାବେ ବେଶ ଖ୍ୟାତି ଲାଭ କରିଥିବା ବେଳେ, ଗବେଷକଙ୍କ ମତରେ ଏହି ପ୍ରାଚୀନ ଲୋକପର୍ବ ବୌଦ୍ଧ ରାଜ୍ୟରୁ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ । ବୌଦ୍ଧ ଜିଲ୍ଲାରେ ପ୍ରାୟ ୫୦ ଟି ଦଳ ଗାଁ ଗାଁ ଓ ସହର ବୁଲି ବୁଲି ଦଣ୍ଡ ଯାତ୍ରା ପରିବେଷଣ କରୁଥିବା ବେଳେ ଉଭୟ ଶୈବ ଓ ଶାକ୍ତ ଉପାସନା ସହିତ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ଭାବେ ବିବେଚିତ ହୁଏ ଏହି ପ୍ରାଚୀନ ଲୋକପର୍ବ । ଦଣ୍ଡ ଯାତ୍ରା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ । ପ୍ରଥମ ପର୍ଯ୍ୟାୟରେ ଦିନ ଦ୍ୱିପ୍ରହରରୁ ସନ୍ଧ୍ୟା ପର୍ଯ୍ୟନ୍ତ ପାଣି ଦଣ୍ଡ ଅନୁଷ୍ଠିତ ହୋଇଥାଏ, ଦ୍ୱିତୀୟ ପର୍ଯ୍ୟାୟରେ ରାତ୍ରିର ଦ୍ୱିତୀୟ ପ୍ରହରରୁ ସକାଳ ପର୍ଯ୍ୟନ୍ତ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୁଏ । ଷୋହଳ ଖାଡ଼ି ବାଦ୍ୟ ବା ଷୋହଳ ପ୍ରକାର ବାଦ୍ୟ ତାଳରେ ଷୋହଳ ସୁଆଙ୍ଗ ବା ଷୋହଳ ପ୍ରକାର ଦଣ୍ଡ ନୃତ୍ୟ ପାରିବେଷିତ ହୁଏ । ଦଣ୍ଡ ଯାତ୍ରାର ଦାର୍ଶନିକ ତତ୍ତ୍ୱ ହେଉଛି ନିଜ ଶରୀରକୁ ନିଜେ ଦଣ୍ଡ ଦେଇ ଈଶ୍ୱର ପ୍ରାପ୍ତି କରିବା । ତେଣୁ ମାନସିକଧାରୀ ମାନେ ଟାଣ ଖରାରେ ଖାଲିପାଦରେ ଚାଲିବା, କଣ୍ଟାରେ ଶୋଇବା, ନିଆଁରେ ଚାଲିବା, ଦିନ ଦ୍ୱିପ୍ରହରରେ ଟାଣ ଖରାରେ ଖାଲି ଦେହରେ ଭୂମିରେ ଗଡିବା, ଗୋଟିଏ ଓଳି ଖାଇବା, ଅଳ୍ପ ନିଦ୍ରା ଯିବା ଭଳି ଆହୁରି ଅନେକ ପ୍ରକାର ଦଣ୍ଡ ନିଜକୁ ନିଜେ ଦେଇ ଈଶ୍ୱର ପ୍ରାପ୍ତି କରିପାରିବେ ବୋଲି ବିଶ୍ୱାସ କରନ୍ତି । ସେହିଭଳି ମାନସିକଧାରୀ ଶ୍ରଦ୍ଧାଳୁ କର୍ତ୍ତା ମାନେ ଦଣ୍ଡ ଯାତ୍ରା ଦଳକୁ ଆମନ୍ତ୍ରଣ କରି ନିଜ ଗୃହ ସମ୍ମୁଖରେ ଦଣ୍ଡ ଯାତ୍ରା କରାଇଥାନ୍ତି । ଶେଷରେ ବିଷୁବ ସଂକ୍ରାନ୍ତି ଦିନ ଯେଉଁ ଶୈବପୀଠରୁ ଦଣ୍ଡ ଉଠେ ବା ଆରମ୍ଭ ହୋଇଥାଏ, ସେହି ଶୈବପୀଠକୁ ଫେରିଯାଇ ସେଠାରେ ଅନ୍ତିମ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୁଏ । ତେବେ ଦୀର୍ଘ ଦୁଇ ବର୍ଷ ପରେ ଦଣ୍ଡ ଯାତ୍ରା ପୁଣି ଆରମ୍ଭ ହୋଇଥିବାରୁ ମାନସିକଧାରୀ ତଥା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ପ୍ରକାଶ ଥାଉକି ହରଭଙ୍ଗା ମା ରୁଦ୍ରକାଳୀ ଦଣ୍ଡ ଅନୁଷ୍ଠାନ ର ଝୁଣା ଖେଳ ଅତି ଉଚ୍ଚକୋଟୀର ଭାବେ ପାଟଭୋକ୍ତା ଦାଣ୍ଡରେ ଅଗ୍ନି ସଂଯୋଗ କରି ଝୁଣା ଖେଳନ୍ତି, ରାତ୍ର ସମୟରେ ବିଭିନ୍ନ ସୁଆଙ୍ଗ(ନାଚ) ପ୍ରଦର୍ଶନ ଅତି ଆକର୍ଷଣୀୟ ଅଟେ । ଏହି ଦଣ୍ଡ ଯାତ୍ରା ଦେଖିବା ପାଇଁ ଶହଶହ ଲୋକ ରାତି ଅନିଦ୍ରା ହେଇ ଦଣ୍ଡ ଯାତ୍ରା ଦେଖି ଥାଆନ୍ତି ।