ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲାଗୁନି । ଆଜି ରାଜ୍ୟରେ ପୁଣି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଲାଣି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୫୩୮ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୧୦୧ ପଜିଟିଭ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୫୨, ବାଲେଶ୍ୱରରୁ ୩୩, ଯାଜପୁରରୁ ୭, ସୁନ୍ଦରଗଡରୁ ୭ ଓ କେନ୍ଦୁଝରରୁ ୨ ରହିଛନ୍ତି । ଗଞ୍ଜାମ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୨୧୦ରେ ପହଞ୍ଚିଥିବା ବେଳେ ବାଲେଶ୍ୱରରେ ୯୦, ଯାଜପୁରରେ ୭୧, ସୁନ୍ଦରଗଡରେ ୨୩, କେନ୍ଦୁଝରରେ ୪କୁ ବୃଦ୍ଧି ପାଇଛି । ଏହି ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ୱେବସାଇଟରେ ପ୍ରକାଶ ପାଇଛି । ଚିହ୍ନଟ ହୋଇଥିବା ୧୦୧ ଜଣଙ୍କ ମଧ୍ୟରୁ ୯୦ଜଣ କ୍ୱରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୮ଜଣ କଣ୍ଟେନମେଣ୍ଟ ଜୋନ ଅଂଚଳର ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଯାଜପୁରରୁ ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରୁ ୫ ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ୨ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି । ସେହିପରି ବାଲେଶ୍ୱରର ୩୩ଜଣ ମଧ୍ୟରୁ ୨୪ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ୩ଜଣ ପଶ୍ଚିମବଙ୍ଗ, ୨ଜଣ ବାଙ୍ଗାଲୋର ଫେରନ୍ତା, ଜଣେ କଣ୍ଟେନମେଣ୍ଟ ଅଂଚଳର ହୋଇଥିବା ବେଳେ ୩ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ସୁନ୍ଦରଗଡରୁ ଚିହ୍ନଟ ହୋଇଥିବା ସମସ୍ତ ୭ଜଣ କଣ୍ଟେନମେଣ୍ଟ ଅଂଚଳ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।