ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସରକାରୀ ଅନୁଦାନକୁ ଅପେକ୍ଷା

0 159

ସମ୍ବଲପୁର : ସମ୍ବଲପୁରରେ ପ୍ରତିବର୍ଷ ପାରମ୍ପରିକ ରୂପେ ଅନୁଷ୍ଠିତ ମହାଦେବ ଶିବ ଓ ଜଗତଜନନୀ ପାର୍ବତୀଙ୍କ ବିବାହ ଉତ୍ସବକୁ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ରୂପେ ପାଳନ କରାଯାଏ, ଯାହାକି ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଏକ ମୁଖ୍ୟ ଆକର୍ଷଣ ହୋଇ ରହିଛି ଓ ବିଶ୍ୱର ସବୁଠାରୁ ବଡ଼ କାର୍ନିଭାଲ୍ ରୂପେ ମଧ୍ୟ ପରିଚିତ । ଏହା ନଗର ମଧ୍ୟରେ ସ୍ଥାପିତ ସମସ୍ତ ଶିବମନ୍ଦିରଗୁଡ଼ିକରେ ଊଣାଅଧିକେ ଏହା ପାଳନ କରାଯାଇଥାଏ; କିନ୍ତୁ ତିନୋଟି ମନ୍ଦିର ଠାରେ ଏହା ବଡ଼ ଆକାରରେ ପାଳନ କରାଯାଏ । ଏହି ତିନୋଟି ମନ୍ଦିର ହେଉଛି ଝାଡ଼ୁଆପଡ଼ା, ନନ୍ଦପଡ଼ା ଓ ମୁଦିପଡ଼ା ତଥା ଏମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏକ ସଂଯୁକ୍ତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଏବର୍ଷ ଶୀତଳଷଷ୍ଠୀ ଯାତ୍ରା କିପରି ସୁରୁଖୁରୁରେ ପାଳନ ହୋଇପାରିବ, ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ସନ୍ଦର୍ଭରେ ପ୍ରାପ୍ତ ସୂଚନାନୁସାରେ ଉକ୍ତ ଉତ୍ସବର ଦୁଇଟି ପ୍ରମୁକ ଅନୁଷ୍ଠାନ ପତରପେଣ୍ଡି ଓ ନରସିଂହ ନିଉତାକୁ ମନ୍ଦିର ଭିତରେ ଅତ୍ୟନ୍ତ ସରଳତା ସହକାରେ ସାମାଜିକ ଦୂରତା ନିୟମ ଅନୁସାରେ ପାଳନ କରାଯିବା ସହିତ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ବିବାହ କାର୍ଯ୍ୟକ୍ରମ ଆଗାମୀ ୨୭ ତାରିଖ ଦିନ ଅନୁଷ୍ଠିତ ହେବ । ଏହାର ପରବର୍ତ୍ତୀ ରାତିରେ ନବବିବାହିତ ଯୁଗଳ ମୂର୍ତ୍ତି ନଗର ପରିକ୍ରମା କରିବାର ପରମ୍ପରା ରହିଛି । କିନ୍ତୁ ଏବର୍ଷ ତାହା ଦିନେ ବିଳମ୍ବ କରି ମଇ ୨୯ ତାରିଖ ଦିନ ସକାଳୁ ଅନୁଷ୍ଠିତ ହେବ । ଏଥିରେ ପୂର୍ବବର୍ଷ ପରି ନାଚଗୀତ ଆସର ସହିତ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ରହିବ ନାହିଁ; କିନ୍ତୁ ନବବିବାହିତ ଯୁଗଳ ମୂର୍ତ୍ତି ସେମାନଙ୍କ ଭକ୍ତମାନଙ୍କୁ ଆଶୀର୍ବାଦ କରିବା ପାଇଁ ରଥାରୂଢ଼ ହୋଇ ନଗର ପରିକ୍ରମା କରିବେ । ସର୍ବତ୍ର କରୋନା ସଙ୍କଟ ଯୋଗୁଁ ଏଥିପାଇଁ ଜନସାଧାରଣଙ୍କଠାରୁ କୌଣସି ପ୍ରକାରେ ଚାନ୍ଦା ଆଦାୟ କରାଯିବା ନାହିଁ । ଏଣୁ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ଯେ, ଏହି ଧାର୍ମିକ ଓ ସାଂସ୍କୃତିକ ଉତ୍ସବ ପାଇଁ ଉଦ୍ଦିଷ୍ଟ ସରକାରୀ ପାଣ୍ଠି ଯୋଗାଇ ଦିଆଯାଉ । ଗତବର୍ଷ ରାଜ୍ୟ ସରକାରଙ୍କ ସାଂସ୍କୃତିକ ଦେବୋତ୍ତର ଆୟୋଗ ପକ୍ଷରୁ ପ୍ରତିଶ୍ରୁତି ସତ୍ତ୍ୱେ ଅନୁଦାନ ଆସିନଥିଲା, ଯାହାକି ଏବର୍ଷ ଯୋଗାଇ ଦିଆଯାଉ ।

hiranchal ad1
Leave A Reply

Your email address will not be published.

one × 3 =