ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ନେଇ ଆଲୋଚନା

0 153

ପାଟଣାଗଡ,୨୯/୪- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଖପ୍ରାଖୋଲ ପଞ୍ଚାୟତ ସମିତିର ପ୍ରଥମ ବୈ÷ଠକ ଖପ୍ରାଖୋଲ ବ୍ଲକ ସଭାଗୃହ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ନିରୂପମା ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ବ୍ଲକ ଉପାଧ୍ୟକ୍ଷ ସୁଖରାମ ଷାଣ୍ଢ , ଜୋନ-୩ ଜିଲ୍ଲା ପରିଷଦ ସଭ୍ୟ ସଂଯୁକ୍ତା ମେହେର , ଜୋନ-୪ ଜିଲ୍ଲାପରିଷଦ ସଭ୍ୟା ପ୍ରମିଳା ପାଥର, ସାଂସଦ ପ୍ରତିନିଧି ପ୍ରବିଣ ଅଗ୍ରୱାଲ, ସହକାରୀ ନିର୍ବାହୀଯନ୍ତ୍ରୀ ସୌମ୍ୟକିଶୋର ଜୟପୁରିଆ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ବୈଠକ ଆରମ୍ଭରେ ଗୋଷ୍ଠୀ ଜନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତ , ନବନିର୍ବାଚିତ ସମସ୍ତ ସରପଞ୍ଚ , ସମିତି ସଭ୍ୟ ଏବଂ ଜିଲ୍ଲାପରିଷଦ ସଭ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । ଉପସ୍ଥିତ ସଦସ୍ୟମାନେ ନିଜନିଜର ପରିଚୟ ପ୍ରଦାନ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବୈଠକରେ ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା । ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ୫୦ ପ୍ରତିଶତ ନଳକୂପ ଅଚଳ ହୋଇପଡିଛି । ଏହାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି । ପାନୀୟଜଳ ସଂକଟ ଦେଖାଦେଇଥିବା ବେଳେ ଅଞ୍ଚଳବାସୀ ନାହିଁନଥିବା ଅବସ୍ଥାର ସମ୍ମୁଖୀନ ହେଉଥିବା ନେଇ ଉପସ୍ଥିତ ସଦସ୍ୟମାନେ ବୈଠକରେ ଅଭିଯୋଗ କରିଥିଲେ । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଲାଗି ରହିଥିବାବେଳେ ବାରମ୍ବାର ବିଦ୍ୟୁତ କାଟରେ ଜନସାଧାରଣ ଅତିଷ୍ଠ ହୋଇପଡ଼ୁଥିବା ନେଇ ସଦସ୍ୟମାନେ ଅଭିଯୋଗ କରିଥିଲେ । ଏପରିକି ବୈଠକ ଚାଲିଥିବାବେଳେ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଜନପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଉପସ୍ଥିତ ସଦସ୍ୟମାନଙ୍କ ଅଭିଯୋଗ ପରେ ବିଧାୟକ ସରୋଜ ମେହେର ଆର୍‌ଡବ୍ଲଏସ୍‌ଏସ୍‌ ଏବଂ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଏ ନେଇ ସ୍ପଷ୍ଟିକରଣ ରଖିବାକୁ କହିଥିଲେ । ବିଧାୟକ ପାନୀୟଜଳ ସଂକଟ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଫିସ୍‌ରେ ନବସି ଫିଲ୍‌ଡକୁ ଯାଇ ଜନସାଧାରଣଙ୍କ ଅଭିଯୋଗକୁ ଶୁଣିବା ସହିତ ସମସ୍ୟାର ସମାଧାନ କରିବାକୁ କନିଷ୍ଠ ଯନ୍ତ୍ରୀ ସରିତାଙ୍କୁ ତାଗିଦ କରିଥିଲେ ।

hiring

ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ବିଦ୍ୟୁତ କାଟ ଏବଂ ବିଲ ସଂଗ୍ରହ ନେଇ ବିଧାୟକ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ବିଦ୍ୟୁତ କାଟ ନକରିବା ନେଇ ବିଭାଗୀୟ ଅଧିବାସୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖପ୍ରାଖୋଲ ମେଡିକାଲ ଅଫିସର ଡଃ.ସୁରଜ ଦୀପ, ବ୍ଲକ ପ୍ରାଣୀଧନ ଚିକତ୍ସକ ଡଃ. ସୁଜିତ ଶତପଥୀ , ବ୍ଲକ କୃଷି ଅଧିକାରୀ ଡମ୍ୱରୁଧର ମେହେର , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନକେତନ ବରିହା , ହରିଶଙ୍କର ବନାଚଳ ଅଧିକାରୀ ଗିରିଧାରୀ ନାଗ , ସିଡିପିଓ ସୁଜାତା ଦୋରା , ଆରଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠଯନ୍ତ୍ରୀ ବିନୟ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା, ଶିଶୁ ବିଭାଗ, କୃଷି, ଉଦ୍ୟାନ ବିଭାଗ, ଜଙ୍ଗଲ ପରିବେଶ ଆଦି ବିଭାଗ ବିଷୟରେ ଆଲୋଚନା କରାଯାଇଥିଲା । ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୧୨ ଜଣ ଡାକ୍ତର ରହିବା ସ୍ଥାନରେ ୬ ଜଣ ଡାକ୍ତର ରହିଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ଏହି ବ୍ଲକ ଅଧିନରେ ଥିବା ୧୮୦ଟି ବିଦ୍ୟାଳୟରେ ୯୬ ଜଣ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ତାହାକୁ ପୂରଣ କରିବାପାଇଁ ଦାବି ହୋଇଥିଲା । ହରିଶଙ୍କର ଠାରେ ସାଧାରଣ ଲୋକଙ୍କ ରହିବାପାଇଁ ଧର୍ମଶାଳା ନଥିବାରୁ ଏଠାରେ ଥିବା ଯାତ୍ରୀନିବାସକୁ ଆସନ୍ତା ହରିଶଙ୍କର ମହୋତ୍ସବ ପୂର୍ବରୁ ତୁରନ୍ତ ମରାମତି କରାଯାଇ କାର୍ଯ୍ୟକ୍ଷମ କରିବାକୁ ବୈଠକରେ ଦାବି ହୋଇଥିଲା । ଚଙ୍ଗରିଆ ସରପଞ୍ଚ ସୁଶୀଲ ଗୁରୁ , ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର , ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର , ଘୁନସର ସରପଞ୍ଚ ଅନୁସୟା ସାହୁ, ପଡିଆବାହାଲ ସରପଞ୍ଚ ଦେବରାଜ ପଧାନ, ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ , ସହଜପାଣି ସରପଞ୍ଚ ପ୍ରଫୁଲ୍ଲ ମାଝୀ , ସହଜପାଣି ସମିତି ସଭ୍ୟ ଉପେନ୍ଦ୍ର ଭୋଇ , ନାନ୍ଦୁପଲା ସମିତି ସଭ୍ୟ ଦେବକାନ୍ତ ପାଣିଗ୍ରାହୀ, ଘୁନସର ସମିତିସଭ୍ୟା ଘନକେଶୀ ସୁନା ପ୍ରମୁଖ ବୈଠକରେ ବିଭିନ୍ନ ସମସ୍ୟା ନେଇ ବିଭାଗୀୟ ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିପିଇଓ ସୁଶାନ୍ତ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve − 12 =