ବିଶ୍ୱ କରୋନା ତାଲିକାରେ ଚୀନ୍ ତଳକୁ ଭାରତ

0 82

ନୂଆଦିଲ୍ଲୀ : ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ପୂର୍ବଭଳି କ୍ଷୀପ୍ର ବେଗରେ ମାଡ଼ିଚାଲିଛି । ପ୍ରତିଦିନ ହଜାର ହଜାର ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୨ ଲକ୍ଷ ୬୧ ହଜାର ୯୫୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଆଡକୁ ମୁହାଁଉଛି । ଆମେରିକାରେ ସଂକ୍ରମଣ ସ୍ଥିତି ଆହୁରି ଭୟଙ୍କର ହୋଇଉଠିଛି । ବିଶ୍ୱ କରୋନା ଆକ୍ରାନ୍ତ ତାଲିକାରେ ଏହା ଶୀର୍ଷରେ ରହିଥିବା ବେଳେ ଭାରତ ଦ୍ୱାଦଶ ସ୍ଥାନରେ ପହଞ୍ଚିଛି । ଭାରତ ଉପରକୁ ଅଛି ଚୀନ୍ । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ୨୮୧ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨୪୧୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୫୨୫ ଜଣ ନୂଆ ରୋଗୀ ବାହାରିଛନ୍ତି । ତେବେ ଆରୋଗ୍ୟ ହାର ବୃଦ୍ଧି ପାଉଛି । ବର୍ତ୍ତମାନ ଏହି ହାର ୩୨.୨ ପ୍ରତିଶତ ରହିଛି । ମୋଟାମୋଟି ଭାବେ ବିଶ୍ୱ ପରିପ୍ରେକ୍ଷୀରେ ଭାରତ ସଂକ୍ରମିତ ତାଲିକାରେ ତଳକୁ ଖସିବା ପରିବର୍ତ୍ତେ ଊର୍ଦ୍ଧ୍ୱଗାମୀ ହେଉଥିବା ଲକ୍ଷ୍ୟ କରାଯାଉଛି । ତାଲିକାର ଶୀର୍ଷରେ ଆମେରିକା ଥିବା ବେଳେ ତା’ ତଳକୁ ଋଷିଆ, ବ୍ରିଟେନ୍‌, ଇଟାଲୀ, ଫ୍ରାନ୍ସ, ବ୍ରାଜିଲ୍‌, ଜର୍ମାନୀ, ତୁର୍କୀ,ଇରାନ୍ ଓ ଚୀନ୍ ରହିଛି । ଚୀନ୍ ତଳକୁ ଭାରତ ରହିଛି । ଚୀନ୍‌ରେ ଏଯାବତ୍ ୮୨ ହଜାର ୯୧୬ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହି ସଂଖ୍ୟାକୁ ନେଇ ବିଭିନ୍ନ ଦେଶ ସନ୍ଦେହ ପ୍ରକାଶ କରିଛନ୍ତି । ଭାରତରେ ଲଗାତାର ଭାବେ ଦୈନିକ ଆକ୍ରାନ୍ତ ସଂଖ୍ୟା ବଢ଼ୁଛି । ପ୍ରାୟ ଅଧିକାଂଶ ଦିନ ଏହା ତିନି ହଜାର ଉପରେ ରହୁଛି । ବର୍ତ୍ତମାନ ମହାରାଷ୍ଟ୍ର, ଗୁଜୁରାଟ ଓ ମଧ୍ୟପ୍ରଦେଶ ଦେଶ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛନ୍ତି । ମହାରାଷ୍‌୍ରରେ ଗୋଟିଏ ଦିନରେ ଏକ ହଜାର ୨୬ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୪୨୭କୁ ବୃଦ୍ଧି ପାଇଛି । ୯୨୧ ଜଣଙ୍କର ମୃତ୍ୟୁ ଘଟିସାରିଲାଣି । ଲକ୍‌ଡାଉନ୍ ଶେଷ ହେବା ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଯିବ ବୋଲି ଆକଳନ କରାଯାଇଛି । ଆକ୍ରାନ୍ତ ତାଲିକାୋର ଦ୍ୱିତୀୟ ସ୍ଥାନରେ ଥିବା ଗୁଜୁରାଟରେ ଗୋଟିଏ ଦିନରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୯୦୩ରେ ପହଞ୍ଚିଥିବା ବେଳେ ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୮୬ ରହିଛି । ସେହିପରି, ଆନ୍ଧ୍ରପ୍ରଦେଶରେ ୨୦୯୦, ଚଣ୍ଡୀଗଡ଼ରେ ୧୮୭, ଦିଲ୍ଲୀରେ ୭୬୩୯, କର୍ଣ୍ଣାଟକରେ ୯୨୬, ଓଡ଼ିଶାରେ ୫୩୮, ପଞ୍ଜାବରେ ୧୯୧୪, ରାଜସ୍ଥାନରେ ୪୧୨୬, ତାମିଲନାଡୁରେ ୮୭୧୮, ଉତ୍ତରପ୍ରଦେଶରେ ୩୬୬୪ ଓ ପଶ୍ଚିମବଙ୍ଗରେ ୨୧୭୩ ଆକ୍ରାନ୍ତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × 4 =