ବୌଦ୍ଧ,୮/୫- ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୭ ଘଂଟା ସମୟରେ ଜିଲା ସଂଗ୍ରହାଳୟ ସମ୍ମୁଖରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଟାଉନହଲ ଠାରେ ପହଞ୍ଚିଥିଲା । ଏଥିରେ ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା, ମଡେଲ ଡିଗ୍ରୀ କଲେଜ ବାମଣ୍ଡା, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏବଂ ଯୋଗୀନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟର ଏନସିସି ବେଣ୍ଡ ଦଳ ସାମିଲ ହୋଇ ପ୍ଲା କାର୍ଡ ଓ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଟାଉନହଲଠାରେ ଆୟୋଜିତ ବିଶ୍ୱ ରେଡକ୍ରସ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରିବା ସହିତ ଶପଥ ପାଠ କରାଇଥିଲେ । ପରେ ଆୟୋଜିତ ରକ୍ତଦାନ ଶିବିରରେ ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରଥମେ ରକ୍ତଦାନ କରିଥିଲେ । ଏହି ଅବସରରେ ଆୟୋଜିତ ଆଲୋଚନା ସଭାରେ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ମିଶ୍ର ଯୋଗଦେଇ ସେବାକୁ ଆଧାର କରି ଛାତ୍ର ଜୀବନରୁ ହିଁ ଦେଶର ସେବା କରିବାକୁ ଆଗେଇ ଆସିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଅତିରକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ, ଉପଜିଲ୍ଲାପାଳ ସନତ କୁମାର ନାଏକ, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାନ କାର୍ଯ୍ୟକ୍ରମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ରେଡକ୍ରସର ସମସ୍ତ ଆଜୀବନ ସଦସ୍ୟ, ଆୟୋଜିତ ପ୍ରତିଯୋଗିତାର କୃତିପ୍ରତିଯୋଗୀ, ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ସ୍ୱେ୍ୱଛାସେବୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିବାବେଳେ ସ୍ଥପତି ସୁମନ ଷଡଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୧୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବହୁଳ ସଂଖ୍ୟାରେ ଏଥିରେ ଅଂଶଗ୍ରହଣ କରିଥିଲେ ।