ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଡି ପୀଠ ପ୍ରାଙ୍ଗଣରେ ଗନ୍ଧରାଡି ମହୋତ୍ସବ-୨୦୨୨ ପାଇଁ ଏକ ପ୍ରସ୍ତୁତି ବୈଠକ ଅସ୍ଥାୟୀ ସଭାପତି ନବୀନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅଧ୍ୟାପକ ପ୍ରଭାତ ଶତପଥି ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଶମ୍ଭୁ ଗିରି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ବାସୁଦେବ ପାତ୍ର ଗନ୍ଧରାଡ଼ି ମନ୍ଦିରର ଇତିହାସ ସମ୍ପର୍କରେ ବର୍ଣ୍ଣନା କରିବା ସହିତ ଏହା କିପରି ରାଜ୍ୟ ତଥା ଦେଶରେ ସ୍ୱତନ୍ତ୍ର ପରିଚୟ ପାଇବ ସେଥିପ୍ରତି ପ୍ରଚାର ପ୍ରସାର ଓ ଏହାର ଉନ୍ନତିକରଣ ପାଇଁ ଗନ୍ଧରାଡି ମହୋତ୍ସବର ଆବଶ୍ୟକତା ଅଛି ବୋଲି ବକ୍ତବ୍ୟରେ କହିଥିଲେ । ଏହାପରେ ସ୍ୱାଧୀନ ପ୍ରଧାନ, ଦେବାଶିଷ ପୁରୋହିତ, କୃତିବାସ ପଲିଆ, ସୀତାକାନ୍ତ ସିଂ ମହୋତ୍ସବ ହେବା ସପକ୍ଷରେ ମତାମତ ଦେଇଥିଲେ । ପରେ ୩୧ ଜଣିଆ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା । ଏହି କମିଟି ମଧ୍ୟରୁ ସଭାପତି ଭାବେ ଅଶୋକ ସାହୁ, ଉପ ସଭାପତି ମନୋରଞ୍ଜନ ପୁରୋହିତ, ବିଦ୍ୟାଧର ସ୍ୱାଇଁ, ପ୍ରଭାତ କୁମାର ପ୍ରଧାନ, ସାମ୍ପାଦକ ଶମ୍ଭୁ ଗିରି, ଯୁଗ୍ମ ସାମ୍ପାଦକ ସ୍ୱାଧୀନ କୁମାର ପ୍ରଧାନ, ଜ୍ଞାନ ରଞ୍ଜନ ପଟନାୟକ, ରାଜେନ୍ଦ୍ର ମେହେର, କୋଷାଧ୍ୟକ୍ଷ ଭାବେ ଶିକ୍ଷକ ନିରଞ୍ଜନ ଗିରି, କାର୍ଯ୍ୟକାରୀ ସଭ୍ୟ ଭାବେ ମନୋଜ ଗୁରୁ, ଅକ୍ଷୟ ସ୍ୱାଇଁ, ଭୋଳାଗିରି ସାହୁ, ଶ୍ରୀନିବାସ ପୁରୋହିତ, ବିଦ୍ୟାଧର ସ୍ୱାଇଁ, ସ୍ୱପ୍ନେଶ୍ୱର ମହାନ୍ତି, ସୁଧାଂଶୁ ଶେଖର ମିଶ୍ର, କୃତିବାସ ପଲିଆ, ଚେତାରାମ ପଟ୍ଟନାୟକ, ଉତ୍ସବ ସାହୁ, ମୋହନ ସାହୁ, ତ୍ରିପୁର ମହାକୁଡ଼, ଗଣେଶ ଜେନା ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଅଫିସିଆଲ କମିଟିରେ ୬ ନଂ ଯୋନର ଜିଲ୍ଲା ପରିଷଦ ସଭ୍ୟା ସମେତ ୭ ଟି ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଏବଂ ୭ ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟା ସମେତ ୩ ଟି ପଞ୍ଚାୟତ ର ସମିତି ସଭ୍ୟ ସଭ୍ୟାଙ୍କ ସହିତ ବୌଦ୍ଧ ବ୍ଳକ ଅଧ୍ୟକ୍ଷଙ୍କୁ କମିଟିରେ ରଖିବାକୁ ସର୍ୱ ସମ୍ମତିକ୍ରମେ ପ୍ରସ୍ତାବ ଆଗତ କରାଗଲା । ଶେଷରେ ଶିକ୍ଷକ ଶମ୍ଭୁ ଗିରି ଧନ୍ୟବାଦ ଦେଇଥିଲେ । ସୋମବାର ସନ୍ଧ୍ୟାରେ ପରିଚାଳନା କମିଟିର ସଭ୍ୟ ମାନେ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ମହୋତ୍ସବ କିପରି ସଫଳ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।