ବୌଦ୍ଧ ଜିଲ୍ଲା ପରିଷଦ ସମୀକ୍ଷା ବୈଠକ

0 277

ବୌଦ୍ଧ,୧୧ା୫: ବୌଦ୍ଧବ୍ଲକ ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ଆଜି ପ୍ରଥମ ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା, ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୈଠକରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସଂପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । ବୈଠକରେ ବିଭିନ୍ନ ବିଭାଗୀୟ ସମୀକ୍ଷା କରାଯିବା ସହିତ ଅଧାରେ ରହିଥିବା ପ୍ରକଳ୍ପ ଗୁଡିକ ତୁରନ୍ତ ସଂପୁର୍ଣ୍ଣ କରାଯିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ମନରେଗା ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୫୨୦୩୯୩ ଲକ୍ଷ ଶ୍ରମ ଦିବସ ସୃଷ୍ଟି ପାଇଁ ଅଟକଳ ଧାର୍ଯ୍ୟ କରାଯାଇଥିବାବେଳେ ଅଦ୍ୟାବଧି ୧୭୯୩୧୨ ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇଛି । ଏଥିପାଇଁ ୯୮୮୪ ୯୮୧୩୫ କୋଟି ବ୍ୟୟ ଅଟକଳ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୪୪୦୨୪୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । କୃଷିକ୍ଷେତ୍ର ପୋଖରୀ ଖନନ ଯୋଜନାରେ ବୌଦ୍ଧ ବ୍ଲକକୁ ୬୪ ଗୋଟି ହରଭଙ୍ଗା ବ୍ଲକକୁ ୭୨ ଗୋଟି ଏବଂ କଣ୍ଟାମାଳ ବ୍ଲକକୁ ୧୬୫ ଗୋଟି ପ୍ରକଳ୍ପ ଏହିପରି ମୋଟ ୩୦୩ ଗୋଟି କୃଷିକ୍ଷେତ୍ର ପୋଖରୀ ଖନନ ପାଇଁ ମଂଜୁର କରାଯାଇଛି । ଭୂମି ଉନ୍ନତିକରଣ ଯୋଜନାରେ ହରଭଙ୍ଗା ବ୍ଲକ ପାଇଁ ୧୦ ଗୋଟି ପ୍ରକଲ୍ପ ମଂଜୁରୀ ଦିଆଯାଇ କାର୍ଯ୍ୟ ଚାଲୁରହିଛି । ମନରେଗା ଯୋଜନାରେ ଖେଳପଡିଆ ନିର୍ମାଣ ପାଇଁ ହରଭଙ୍ଗା ବ୍ଲକରେ ୩ ଗୋଟି ଏବଂ କଣ୍ଟାମାଳ ବ୍ଲକରେ ଗୋଟିଏ ପ୍ରକଳ୍ପକୁ ମଂଜୁରୀ ଦିଆଯାଇ କାର୍ଯ୍ୟ ଚାଲୁଅଛି । ସେହିପରି ଗ୍ରାମାଂଚଳ ପାର୍କ ଯୋଜନାରେ ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ମଂଜୁରୀ ଦିଆଯାଇ କାର୍ଯ୍ୟ ଚାଲୁଅଛି । ଗ୍ରେଡ ୧ ରାସ୍ତା ଉନ୍ନତିକରଣ ଯୋଜନାରେ ବର୍ତ୍ତମାନ ସୁଧା ବୌଦ୍ଧ ବ୍ଲକରେ ୨୧ ଗୋଟି ହରଭଙ୍ଗା ବ୍ଲକରେ ୨ ଗୋଟି ଓ କଣ୍ଟାମାଳ ବ୍ଲକରେ ୭ ଗୋଟି ଏହିପରି ମୋଟ ୩୦ ଗୋଟି ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଏପର୍ଯ୍ୟନ୍ତ ୯୨୮୦ ଗୋଟି ଗୃହ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ସେଥିମଧ୍ୟରୁ ୮୭୭୧ ଗୋଟି ଗୃହ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ବୈଠକରେ ଆଲୋଚନା ପାଇଁ ସମସ୍ତ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେରଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦର ସଭ୍ୟସଭ୍ୟା ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

five × 1 =