ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କାର “ଆତ୍ମନିର୍ଭର ଭାରତ’ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ପ୍ୟାକେଜ୍ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବିସ୍ତୃତ ସୂଚନା ଦେଇଛନ୍ତି । ଆୟୋଜିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସେ ଏହି ପର୍ଯ୍ୟାୟରେ ଦେଶର ଗରିବ, ଶ୍ରମିକ ଓ ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ତିନି କୋଟି ଚାଷୀଙ୍କୁ ଚାରି ଲକ୍ଷ କୋଟି ଟଙ୍କାର ରିଲିଭ୍ ମିଳିସାରିଛି । ଗତ ଦୁଇ ମାସ ମଧ୍ୟରେ ୨୫ ଲକ୍ଷ କିଷାନ୍ କ୍ରେଡିଟ୍ କାର୍ଡ଼ ଦିଆଯାଇଛି । ଏହା ଜରିଆରେ ସେମାନଙ୍କୁ ୨୫ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି । ଏମ୍ଏସ୍ଏମ୍ଇ ପ୍ୟାକେଜ୍ ମାଧ୍ୟମରେ ଶ୍ରମିକ, ଦିନମଜୁରୀଆ ଓ ଚାଷୀଙ୍କୁ ସହାୟତା ମିଳିବ । ୩୧ ମଇ ତାରିଖ ପର୍ଯ୍ୟନ୍ତ ଚାଷୀଙ୍କୁ ଋଣ ପରିଷୋଧ ନେଇ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ବ୍ୟାଙ୍କ ଜରିଆରେ ଗାଁଗୁଡ଼ିକର ଆର୍ଥିକ ଗତିବିଧି ଉପରେ ସରକାର ନଜର ରଖିଛନ୍ତି । ଗତ ଦୁଇ ମାସରେ ସେମାନଙ୍କୁ ୬୩ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ନାବାର୍ଡ଼ ଜରିଆରେ ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ ଟଙ୍କା ଯୋଗାଇ ଦିଆଯାଇଛି । ଏହା ଜରିଆରେ ଚାଷୀଙ୍କୁ ଋଣ ମିଳିବ । ରାଜ୍ୟ ସରକାର ଚାହିଁଲେ ଏହି ଟଙ୍କାକୁ ପ୍ରବାସୀ ଶ୍ରମିକଙ୍କ ଖାଇବା ଓ ରହିବା ପାଇଁ ବ୍ୟବସ୍ଥା କରିପାରିବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଆବଶ୍ୟକ କ୍ଷମତା ପ୍ରଦାନ କରାଯାଇଛି ବୋଲି ସୀତାରମଣ କହିଛନ୍ତି । ସେହିପରି, ସହରାଞ୍ଚଳର ଗରିବ ଭୂମିହୀନଙ୍କ ପାଇଁ ସରକାର ୧୧ ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଗତ ଦୁଇ ମାସରେ ଏହି ବ୍ୟବସ୍ଥା କରାଯାଇଛି । ଦେଶରେ ୧୨ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି । ଏହି ଗୋଷ୍ଠୀ ଜରିଆରେ ତିନି କୋଟି ସାନିଟାଇଜର, ମାସ୍କ ତିଆରି କରାଯାଇଛି । ୭୨୦୦ ନୂଆ ସହାୟକ ଗୋଷ୍ଠୀ ସୃଷ୍ଟି ହୋଇଛି । ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଉଛି । ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଏବେ ବହୁଗୁଣାରେ ବଢ଼ିଯାଇଛି । ସେମାନଙ୍କର ଦୈନିକ ପାରିଶ୍ରମିକ ହାରାହାରି ୨୦୨ ଟଙ୍କା ରଖାଯାଇଛି । ଯେଉଁ ପ୍ରବାସୀ ଶ୍ରମିକମାନେ ଗାଁକୁ ଫେରିଛନ୍ତି, ସେମାନଙ୍କୁ ମନରେଗା ଯୋଜନା ଜରିଆରେ କାମ ଦିଆଯିବ । ଏହି ଯୋଜନା ମାଧ୍ୟମରେ ଶ୍ରମିକମାନଙ୍କୁ ନିଜ ରାଜ୍ୟରେ କାମ ମିଳିବ । ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ହେଲେ ଆହୁରି ଅଧିକ ଅର୍ଥ ଦିଆଯିବ । ପ୍ରବାସୀ ଶ୍ରମିକମାନେ ଚାହିଁଲେ ନିଜକୁ ପଞ୍ଜୀକୃତ କରିପାରିବେ । ଯେଉଁ ସଂସ୍ଥାରେ ୧୦ରୁ ଅଧିକ ଲୋକ କାର୍ଯ୍ୟ କରୁଥିବେ ସେମାନେ ଏସ୍ଆଇସି ମାଧ୍ୟମରେ ଉପକୃତ ହେବେ । ଯେଉଁଠାରେ ଶ୍ରମିକମାନେ ବିପଦ୍ଜନକ ଭାବେ କାର୍ଯ୍ୟ କରୁଛନ୍ତି, ସେଠାରେ ଇଏସ୍ଆଇସି ସୁବିଧା ସେମାନଙ୍କୁ ଯୋଗାଇଦେବା ଲାଗି ବାଧ୍ୟତାମୂଳକ ନିୟମ ରଖାଯାଇଛି । ସାମାଜିକ ସୁରକ୍ଷା ଯୋଜନାକୁ ମଧ୍ୟ ଲାଗୁ କରିବା ବାଧ୍ୟତାମୂଳକ । ସେହିପରି, ସମସ୍ତ ଶ୍ରମିକଙ୍କୁ ନିଯୁକ୍ତିପତ୍ର ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।